କନକ ବ୍ୟୁରୋ: ଦୀର୍ଘ ୭ ବର୍ଷର ସଂଘର୍ଷ ପରେ ଦିବ୍ୟାଙ୍ଗଙ୍କୁ ମିଳିଲା ସଫଳତା । ରେଳ ବିଭାଗରେ ଗ୍ରୁପ ଡି ଇଣ୍ଟରିଭ୍ୟୁ ଚୟନ ହେବା ପରେ ମିଳୁନଥିଲା ନିଯୁକ୍ତି । ଦୀର୍ଘ ୭ ବର୍ଷର ଆଇନଗତ ଲଢ଼େଇ ପରେ ରେଳ ବିଭାଗରେ ମିଳିଲା ନିଯୁକ୍ତି । ଏମିତି ଏକ ସଫଳତା ପାଇ ଅନେକ ଯୁବକ ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି କେନ୍ଦ୍ରାପଡ଼ାର ଦିବ୍ୟାଙ୍ଗ ଯୁବକ ସବ୍ୟସାଚୀ ମହାପାତ୍ର ।
କେନ୍ଦ୍ରାପଡା ମହାକାଳପଡା ବ୍ଲକ ଅନ୍ତର୍ଗତ ସାମଯୋରୀ ଗାଁର ସବ୍ୟସାଚୀ ମହାପାତ୍ର। ଜନ୍ମରୁ ଦୃଷ୍ଟି ବାଧିତ। ଦିବ୍ୟାଙ୍ଗ ହୋଇ ମଧ୍ୟ ପାଠପଢ଼ାରେ ଏକ ନମ୍ବର । କଟକ ନୁଆପଡା ଦୃଷ୍ଟିହୀନ ବିଦ୍ୟାଳୟରେ ମାଟ୍ରିକ ପାସ କଲା ପରେ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରୁ ଯୁକ୍ତ-ଦୁଇ ପାସ କରିଛନ୍ତି । ୨୦୧୬ରେ ରେଳ ବିଭାଗରେ ଚାକିରି ପାଇଁ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ପ୍ରମାଣ ପତ୍ର ଯାଞ୍ଚ ପରେ ତାଙ୍କୁ ନିଯୁକ୍ତି ମିଳିଲା ନାହିଁ । ଏହାପରେ ଆରମ୍ଭ ହେଲା ଦିବ୍ୟାଙ୍ଗ ଯୁବକଙ୍କ ଆଇଗତ ଲଢ଼େଇ।
ଚାକିରି ନମିଳିବାରୁ ସବ୍ୟସାଚୀ ଭିନ୍ନକ୍ଷମ ଆୟୋଗରେ ଅଭିଯୋଗ କରିଥିଲେ। ନିୟୁ ଦିଲ୍ଲୀ ସ୍ଥିତ ଦିବ୍ୟାଙ୍ଗ କମିଶନ ବିଚାର କରି ୨୦୧୭ରେ ସବ୍ୟସାଚୀଙ୍କୁ ନିଯୁକ୍ତି ଦେବା ପାଇଁ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ନିଯୁକ୍ତି ମିଳିଲା ନାହିଁ । ୨୦୧୮ରେ ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲରେ ପୁଣି ଆବେଦନ କରିଥିଲେ ସବ୍ୟସାଚୀ। ଟ୍ରିବ୍ୟୁନାଲ ରେଳ ବିଭାଗକୁ ନିର୍ଦ୍ଦେଶ ଦେବା ପରେ ସବ୍ୟସାଚୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଗତ ୨୩ ତାରିଖରେ ନିଯୁକ୍ତିପତ୍ର ଆସିଛି, ଆସନ୍ତା ୮ରେ ଯୋଗଦେବାକୁ କୁହାଯାଇଛି ।
ସ୍ତ୍ରୀ ଓ ୯୦ ବର୍ଷିୟ ମାଆଙ୍କୁ ନେଇ ସବ୍ୟସାଚୀଙ୍କ ସଂସାର। ନିଜର କୌଣସି ଜମିବାଡ଼ି ନଥିବାରୁ ପରିବାରର ଆର୍ଥିକ ସ୍ଥିତି ଠିକନାହିଁ। ୧୫ କେଜି ରାସନ ଚାଉଳ ଓ ମାଆଙ୍କ ଭତ୍ତା ଟଙ୍କାରେ ପରିବାର ଚଳୁଛି । ଏଭଳି ସ୍ଥିତିରେ ୭ ବର୍ଷ ଧରି ଧର୍ଯ୍ୟର ସହ ଆଇନଗତ ଲଢେଇ ଲଢି ସଫଳ ହେବା ସହଜ ନୁହେଁ ବୋଲି କହିଛନ୍ତି ସବ୍ୟସାଚୀ ।