କନକ ବ୍ୟୁରୋ: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲାରେ କଲ୍ୟାଣ ଓ ଶିକ୍ଷା ବିଭାଗ ନିମନ୍ତେ ହଷ୍ଟେଲ ନିର୍ମାଣ ନିମନ୍ତେ ନିଷ୍ପତି ନିଆଯାଇଥିଲା । ହେଲେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍ ହଷ୍ଟେଲ ସଂପୂର୍ଣ୍ଣ ହୋଇପାରିନଥିବାରୁ ଜିଲ୍ଲାର ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀ ହଷ୍ଟେଲ ସୁବିଧା ପାଇବାରୁ ବଚିଂତ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ । 

Advertisment

ହଷ୍ଟେଲରେ ରହି ପାଠପଢ଼ିବେ ଛାତ୍ରଛାତ୍ରୀ। ସେଥିପାଇଁ ନିର୍ମାଣ ଚାଲିଛି କୋଠା। ଗୋଟିଏ ଦୁଇଟି ନୁହେଁ ୨୩ଟି କୋଠା। ରାୟଗଡ଼ାରେ ଜିଲ୍ଲା କଲ୍ୟାଣ ଓ ଶିକ୍ଷା ବିଭାଗ ନିମନ୍ତେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ନୂଆ ହଷ୍ଟେଲ କରାଯାଉଛି। ହେଲେ କୋଠା ନିର୍ମାଣ ଦାୟିତ୍ୱ ନେଇଥିନା ଠିକା ସଂସ୍ଥାର ମନମାନି ଯୋଗୁଁ କେଉଁଠି ନିର୍ମାଣ ଅଧାଗଢ଼ା ଆଉ କେଉଁଠୁ ଭୂଇଁରୁ ଉଠିପାରୁନି। 

୨୦୧୮-୧୯ ଆର୍ଥିକ ବର୍ଷରେ ୧୨୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ଦାୟିତ୍ୱ ନେଇଛି ହିନ୍ଦୁସ୍ଥାନ ଷ୍ଟିଲଓାର୍କସ୍ କନଷ୍ଟ୍ରକ୍ସନ ଲିମିଟେଡ। ଗୋଟିଏ ବର୍ଷ ଅର୍ଥାତ୍ ୨୦୧୯ ସୁଦ୍ଧା ନିର୍ମାଣ ସାରି କୋଠା ହସ୍ତାନ୍ତର ପାଇଁ ଚୁକ୍ତି ହୋଇଥିଲା। ୨୩ଟି ହଷ୍ଟେଲ ମଧ୍ୟରୁ ଗୋଟିଏ ଚନ୍ଦ୍ରପୁର ବ୍ଳକ ହାକୁସପଙ୍ଗା ସେବାଶ୍ରମ ଛାତ୍ରୀନିବାସ ହସ୍ତାନ୍ତର କରିଛି ଠିକା ସଂସ୍ଥା। ଏପଟେ ହଷ୍ଟେଲ ସୁନିଧା ନଥିବାରୁ ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀ ପାଠପଢ଼ାରେ ଅସୁବିଧା ଭୋଗୁଛନ୍ତି।

ଠିକା ସଂସ୍ଥା ବାରମ୍ବାର ଚୁକ୍ତି ଉଲ୍ଲଙ୍ଘନ କରୁଛି। ଏନେଇ ୨୦୨୧ରେ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ ତତ୍କାଳୀନ ଜିଲ୍ଲା ମଙ୍ଗଳ ଅଧିକାରୀ। ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ କମ୍ପାନୀ ମନମାନି କରୁଥିବା ଅଭିଯୋଗ ହୋଇଛି । ଆଦିବାସୀ ଅଂଚଳର ହଷ୍ଟେଲ ପ୍ରସଙ୍ଗ ବିଧାନସଭାର ଶୀତ ଅଧିବେଶନରେ ଉଠାଇବେ ବୋଲି କହିଛନ୍ତି ରାୟଗଡା ବିଧାୟକ । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ୫ ବର୍ଷ ବିତିଲାଣି, ତଥାପି କାମ ସରୁନି ।