କନକ ବ୍ୟୁରୋ: ଚମତ୍କାର ବୋଲିଂ ପରେ ଭାରତକୁ ୨୫୨ ରନ୍ର ଟାର୍ଗେଟ୍ ଦେଇଥିଲା କିୱି ଦଳ । ଜବାବରେ କ୍ୟାପଟେନ୍ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଭାରତକୁ ଏକ ଭଲ ଷ୍ଟାର୍ଟ୍ ଦେଇଥିଲେ । ପ୍ରଥମ ୱିକେଟ୍ ପାଇଁ ଦୁହିଁଙ୍କ ମଧ୍ୟରେ ୧୦୫ ରନ୍ର ଭାଗିଦାରୀ ହୋଇଥିଲା । ଏହାପରେ ଭାରତର ବିଜୟ ରାସ୍ତା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା । ଅଧିନାୟକଙ୍କ ପରେ ଶ୍ରେୟସ ଆୟର ଓ କେଏଲ୍ ରାହୁଲ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଗୋଟିଏ ଓଭର ବାକି ଥାଇ ଟିମ୍ ଇଣ୍ଡିଆ ଚାମ୍ପିୟନ ଟାଇଟଲ୍ ନିଜ ନାଁରେ କରିନେଇଥିଲା । ହେଲେ ଏହାକୁ ନେଇ ପାକିସ୍ତାନର ପୁରୁଣା ରୋଗ ଯାଉନି । ଏକ ଟିଭି ଶୋ’ରେ ଭାରତକୁ ନେଇ ବଡ଼ ଟିପ୍ପଣୀ କରିଛନ୍ତି ଶାହିଦ ଆଫ୍ରିଦି । କହିଛନ୍ତି ଭାରତ ଜିତିବା ବଡ଼ କଥା ନୁହେଁ । ଟିମ୍ ଇଣ୍ଡିଆ ଚାମ୍ପିୟନ ନହୋଇଥିଲେ ଆଶ୍ଚର୍ଯ୍ୟ ହୋଇଥାଆନ୍ତି ।
ସମା ଟିଭି ନାମକ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍କୁ ପ୍ରତିକ୍ରିୟା ଦେଇ ଆଫ୍ରିଦି କହିଛନ୍ତି, ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେଇଥିବା ଅନ୍ୟ ଟିମ୍ଗୁଡ଼ିକ ଟ୍ରାଭେଲ୍ କରୁଥିଲେ । ହେଲେ ଭାରତ କେବଳ ଗୋଟିଏ ଭେନ୍ୟୁରେ ମ୍ୟାଚ୍ ଖେଳିଥିଲା । ଏଣୁ ପିଚ୍କୁ ଦଳ ଭଲ ଭାବରେ ପରଖି ନେଇଥିଲା । ଗୋଟିଏ ଗ୍ରାଉଣ୍ଡ୍ରେ ଖେଳିବାର ଫାଇଦା ଉଠାଇଲା ଟିମ୍ ଇଣ୍ଡିଆ । ତେଣୁ ଭାରତ ଚାମ୍ପିୟନ୍ ହେବା ପୂର୍ବରୁ ନିର୍ଦ୍ଧାରିତ ଥିଲା । ଦୁବାଇ ପିଚ୍ ସ୍ପିନରଙ୍କୁ ସୁହାଇବ । ତେଣୁ ସେମାନେ ସେହି ହିସାବରେ ଟିମ୍ର ସନ୍ତୁଳନ କରି ରଖିଥିଲେ । ଭାରତ ଚାମ୍ପିୟନ ନହୋଇଥିଲେ ମୁଁ ଆଶ୍ଚର୍ଯ୍ୟ ହୋଇ ଥାଆନ୍ତି ।
ତେବେ ଆଫ୍ରିଦି କଥା ଆଳରେ ପାକିସ୍ତାନ ଟିମ୍କୁ କଟାକ୍ଷ ବି କରିଥିଲେ । ଦୀର୍ଘ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ହାତେଇଛି ଭାରତ । ଏହାପୂର୍ବରୁ ୨୦୧୩ରେ ଧୋନୀଙ୍କ ନେତୃତ୍ୱରେ ଭାରତ ଏହି ଟାଇଟଲ ହାତେଇଥିଲା । ସେହିଭଳି ୨୦୦୨ରେ ଶ୍ରୀଲଙ୍କା ସହିତ ଯୁଗ୍ମ ଭାବରେ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ ।
ରବିବାର ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ । ତେବେ ଭାରତୀୟ ବୋଲରଙ୍କ ଲୟ ଯୋଗୁଁ ବଡ଼ ସ୍କୋର୍ କରିବାରେ ବିଫଳ ହୋଇଥିଲା । ନିର୍ଦ୍ଧାରିତ ଓଭରରେ ଦଳ ମାତ୍ର ୨୫୧ ରନ୍ ହିଁ କରି ପାରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ୍ ମିଚେଲ୍ ଓ ମାଇକେଲ ବ୍ରେସ୍ୱେଲ୍ ଯଥାକ୍ରମେ ୬୩ ଓ ୫୩ ରନ୍ କରିଥିଲେ ।
ଜବାବରେ ଭାରତୀୟ ଦଳ ଦମଦାର ଷ୍ଟାର୍ଟ୍ କରିଥିଲା । ପ୍ରଥମ ୱିକେଟ୍ ପାଇଁ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ଙ୍କ ମଧ୍ୟରେ ୧୦୫ ରନ୍ ଭାଗିଦାରୀ ହୋଇଥିଲା । ଏହାପରେ ବିରାଟ କୋହଲି ଶସ୍ତାରେ ଆଉଟ୍ ହୋଇଥିଲେ । ହେଲେ ଶ୍ରେୟସ ଓ ଅକ୍ଷର ପଟେଲ ପାଳି ସମ୍ଭାଳିଥିଲେ । ଶେଷ ବେଳକୁ କେଏଲ୍ ରାହୁଲ୍ଙ୍କ କ୍ୟାମିଓ ଦଳକୁ ଚାମ୍ପିୟନ ହେବାରେ ସହାୟକ ହୋଇଥିଲା । ଭାରତ ପକ୍ଷରୁ କୂଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।