କନକ ବ୍ୟୁରୋ: ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ୪୦ରୁ ଅଧିକ ପ୍ରଜାତିର ବୃକ୍ଷ ହଜିଯିବାକୁ ବସିଲାଣି । ବୁଦା, ଘାସ, କଣ୍ଟା, କୋଳି, ଲତା ଓ ଜଡ଼ିବୁଟି ବୃକ୍ଷ କମୁଛି । ଦିନେ ୫୦ ପ୍ରକାର କୋଳିଗଛ ଥିବା ବେଳେ ଏବେ ଏସବୁର ସଂଖ୍ୟା ହାତ ଗଣତି । ପଶୁପକ୍ଷୀଙ୍କୁ ଆଗଭଳି ଖାଦ୍ୟ ମିଳୁନି। ପଶୁପକ୍ଷୀଙ୍କ ସଂଖ୍ୟା କମୁଥିବା ବେଳେ ପରିବେଶ ସନ୍ତୁଳନ ରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
- ବାଲୁଖଣ୍ଡରେ ବିଲୁପ୍ତପ୍ରାୟ ୪୦ ବୃକ୍ଷ
- କମୁଛି ପଶୁପକ୍ଷୀଙ୍କ ଖାଦ୍ୟ
- ରହୁନି ପରିବେଶ ସନ୍ତୁଳନ
ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଦ୍ବାରା ନିକଟରେ ପ୍ରକାଶିତ ‘ପ୍ଲାଣ୍ଟସ: ରିସାଇଲେଣ୍ଟ ଗାର୍ଡିଆନ୍ସ ଅଫ ଦି ବାଲୁଖଣ୍ଡ କୋଣାର୍କ ୱାଇଲ୍ଡ ଲାଇଫ ସାଙ୍କଚୁଆରି’ ରିପୋର୍ଟ ମୁତାବକ, ବାଲୁଖଣ୍ଡରେ ୧୬୧ ପ୍ରକାର ବୃକ୍ଷ ଅଛି। ତେବେ ଏଥିରୁ ମୋଟା ଲତା ଜାତୀୟ ବୃକ୍ଷର ସଂଖ୍ୟା ଦ୍ରୁତ ହ୍ରାସ ପାଉଛି । ଉପକୂଳ ପରବେଶ ସନ୍ତୁଳନ ରକ୍ଷା, ବାତ୍ୟାକୁ ବାଧା ଦେବା ଓ ମୃତ୍ତିକା ସଂରକ୍ଷଣରେ ଏସବୁ ଗଛର ଗୁରୁତ୍ବ ରହିଛି। କିନ୍ତୁ ଏହି ସବୁ ଗଛର ସଂଖ୍ୟା ଦ୍ରୁତ ହ୍ରାସ ଯୋଗୁ ପରିବେଶବିତ୍ ଓ ବୁଦ୍ଧୀଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି ।
ବାଲୁଖଣ୍ଡରେ ‘ଝୁଣୁଝୁଣୁକା’ ଜାତୀୟ ବୃକ୍ଷ କମିବା ଯୋଗୁ ପ୍ରଜାପତିଙ୍କ ସଂଖ୍ୟା କମୁଛି। ହରିଣ ଭଳି ପ୍ରାଣୀ ଖାଦ୍ୟ ନପାଇ ଗାଁରେ ପଶୁଛନ୍ତି। ବିଭିନ୍ନ କୋଳି ବୃକ୍ଷ ବିରଳ ହେଲାଣି। ଏସବୁ ଗଛରୁ ନଦୀ ଓ ସାମୁଦ୍ରିକ ଜୀବଙ୍କ ପାଇଁ ଖାଦ୍ୟ ବର୍ଷାପାଣିରେ ଗଡ଼ି ପାଣି ଭିତରକୁ ଯାଏ। ବୁଦାଘାସ କମୁଥିବାରୁ ମୃତ୍ତିକାର ଗୁଣବତ୍ତା କମୁଛି। ସେହିପରି ବାଲୁଖଣ୍ଡ ଅଭୟାରଣ୍ୟରେ ଆଉ ଯଥେଷ୍ଟ ଖାଦ୍ୟ ମିଳୁନଥିବାରୁ ପଶୁପକ୍ଷୀଙ୍କ ସଂଖ୍ୟା କମୁଛି । ଔଷଧୀୟ ଗଛ ମଧ୍ୟ ଆଗଭଳି ମିଳୁନାହିଁ । ବଙ୍ଗୋପସାଗର କୂଳରେ ବ୍ୟାପ୍ତ ବାଲୁଖଣ୍ଡରେ ବିଲୁପ୍ତ ପଥରେ ଜୈବିକ ଶୃଙ୍ଖଳ। ପ୍ରତିକୂଳ ପରିବେଶରୁ ରକ୍ଷା ପାଇଁ ଏବେଠୁ ପଦକ୍ଷେପ ଜରୁରୀ ହୋଇପଡ଼ିଛି ।