କନକ ବ୍ୟୁରୋ: ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପଂହଚିଛନ୍ତି ଦେଶର ବଛା ବଛା ଅଫିସର । ଆସନ୍ତୁ ଦେଖିବା କେଉଁ ପ୍ରମୁଖ ହାଇପ୍ରୋଫାଇଲ ଅଫିସର ଡିଜିପି ସମ୍ମିଳନୀରେ ଯୋଗଦେବାକୁ ଆସିଛନ୍ତି ଭୁବନେଶ୍ୱର ।
ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୋଲିସ ମହାନିର୍ଦ୍ଦେଶକଙ୍କ ମହାସମ୍ମିଳନୀ। ଏହି ତିନି ଦିନିଆ ସର୍ବଭାରତୀୟ ସମ୍ମିଳନୀରେ ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ ଯୋଗ ଦେଇଥିବାବେଳେ, ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ବଡ଼କଥା ହେଉଛି ଦିଲ୍ଲୀ ଦରବାରର ସମସ୍ତ ହାଇପ୍ରୋଫାଇଲ ଅଫିସରଙ୍କ ସଙ୍ଗମ ଘଟିଛି ରାଜଧାନୀ ଭୁବନେଶ୍ୱରରେ।
ପି.କେ ମିଶ୍ର
ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ
ଅଜିତ ଡୋଭାଲ
ଜାତୀୟ ସୁରକ୍ଷା ପରାମର୍ଶଦାତା
ଗୋବିନ୍ଦ ମୋହନ
ଗୃହ ସଚିବ
ତରୁଣ କପୁର
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା
ଆଭ୍ୟନ୍ତରୀଣ ଓ ସୀମା ସୁରକ୍ଷାଠୁ ଆରମ୍ଭ କରି ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ଆଲୋଚନା ହେବ ଓ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ। ଏହି କନଫରେନ୍ସରେ ମଧ୍ୟ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ପୂର୍ବରୁ ଆସିସାରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପିକେ ମିଶ୍ରଙ୍କ ସହ ପରାମର୍ଶଦାତା ତରୁଣ କପୁର। ମହାସମ୍ମିଳନୀରେ ବି ଯୋଗ ଦେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ।
ଦିଲ୍ଲୀ ଦରବାରରେ ସବୁଠୁ ପାୱାରଫୁଲ ଓଡ଼ିଆ ଅଫିସର ପିକେ ମିଶ୍ର। କୁହାଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ରଣନୀତିକାରଙ୍କ ମଧ୍ୟରୁ ଅନ୍ୟତମ। ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଖି, କାନ ଓ ନାକ ବୋଲି ମଧ୍ୟ କୁହାଯାଏ। ତେଣୁ ଏହି ଟପ୍ ବ୍ୟୁରୋକ୍ରାଟଙ୍କ ଉପସ୍ଥିତି ଡିଜିପି ସମ୍ମିଳନୀର ଗୁରୁତ୍ୱକୁ ବହୁଗୁଣିତ କରିଛି।
ଦେଶର ସୁରକ୍ଷା ପାଇଁ ମାନସମନ୍ଥନ ଚାଲିଥିବାବେଳେ ଯୋଗ ଦେଇଛନ୍ତି ଭାରତୀୟ ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ତପନ କୁମାର ଡେକା ଏବଂ ପ୍ରମୁଖ ବୈଷୟିକ ଗୁଇନ୍ଦା ଏଜେନ୍ସି ନ୍ୟାସନାଲ ଟେକ୍ନିକାଲ ଇଣ୍ଟେଲିଜେନ୍ସ ଅର୍ଗାନାଇଜେସନ୍- ଏନଟିଆରଓର ଅଧ୍ୟକ୍ଷ ଅରୁଣ କୁମାର ସିହ୍ନା। ସେହିପରି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୂଦ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଂଶ ପାଲଟିଛନ୍ତି ।
ତପନ କୁମାର ଡେକା
ଆଇବି ନିର୍ଦ୍ଦେଶକ
ଅରୁଣ କୁମାର ସିହ୍ନା
ଅଧ୍ୟକ୍ଷ, ଏନ୍ଟିଆରଓ
ପ୍ରବୀଣ ସୂଦ
ନିର୍ଦ୍ଦେଶକ, ସିବିଆଇ
ଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସି ଗୁଡ଼ିକ କାନ୍ଧରେ ରହିଛି ଉଭୟ ଆଭ୍ୟନ୍ତରୀଣ ଓ ସୀମା ସୁରକ୍ଷାରୁ ଗୁରୁ ଦାୟିତ୍ୱ। ତେଣୁ ଏହି ବିଭାଗର ମୁଖିଆ ମାନଙ୍କୁ ସାଙ୍ଗରେ ନେଇ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି। ବିଶ୍ୱ ଦରବାରରେ ଭାରତର ବଢୁଥିବା ପ୍ରଭାବ ଓ ପଡ଼ୋଶୀଙ୍କ ସହ ବଢୁଥିବା ତିକ୍ତତା କାରଣରୁ ଏହା ଜରୁରୀ।
ଯେଉଁ ସଂସ୍ଥାର ରିପୋର୍ଟ ଆଧାରରେ ପ୍ରସ୍ତୁତ ହୁଏ ଦେଶର ବୈଦେଶିକ ରଣନୀତି। ଦେଶବିରୋଧୀ କାର୍ୟ୍ୟକଳାପ ହେଉ କିମ୍ୱା ଆତଙ୍କବାଦୀ ଆକ୍ରମଣ ଯେଉଁ ଏଜେନ୍ସୁକି ଆଗ ଖୋଜାପଡ଼େ। ଦେଶର ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା ଯେଉଁ ସଂସ୍ଥା ଉପରେ ନ୍ୟସ୍ତ ଥାଏ ସେସବୁ ସଂସ୍ଥାର ଟପ୍ ଅଫିସରଙ୍କ ସମାଗମକୁ ନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର।
ରବି ସିହ୍ନା
ସଚିବ, ର’
ସଦାନନ୍ଦ ଦାତେ
ନିର୍ଦ୍ଦେଶକ, ଏନ୍ଆଇଏ
ଆଲୋକ ଶର୍ମା
ନିର୍ଦ୍ଦେଶକ, ଏସ୍ପିଜି