ରାଜଧାନୀରୁ ପୁଣି ୩୦୯ ପଜିଟିଭ । ଭୟ ଭିତରେ ବି ଭୁବନେଶ୍ୱର ପାଇଁ ଭଲ ଖବର । ସୁସ୍ଥ ହେଲେ ୩୧୭ କରୋନା ଆକ୍ରାନ୍ତ ।

410

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୩୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮୩ ଜଣ ସଂଗରୋଧ ଓ ୨୨୬ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ୟୁନିଟ-୬ ଓ ପଟିଆସ୍ଥିତ ସଂଗରୋଧରୁ ୫-୫ ଜଣ, ଖଣ୍ଡଗିରିରୁ ୪ ଜଣ, ପୁରୁଣା ଭୁବନେଶ୍ୱର, ବରମୁଣ୍ଡା, ଝାରପଡ଼ା ଓ ନୟାପଲ୍ଲୀ, ଭିଏସଏସ୍‌ ନଗରରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ନୟାପଲ୍ଲୀରୁ ୨୧ ଜଣ, ପଟିଆ, ପୁରୁଣା ଭୁବନେଶ୍ୱରରୁ ୧୦-୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଶୈଳଶ୍ରୀ ବିହାର, ରସୁଲଗଡ଼ରୁ ୮ ଜଣ ଲେଖାଏଁ, ଭିଏସଏସ୍‌ ନଗର, କଳିଙ୍ଗ ବିହାରରୁ ୭ ଜଣ ଲେଖାଏଁ, ପୋଖରୀପୁଟ, ସୁନ୍ଦରପଦା, ଡୁମଡୁମା, ଚନ୍ଦ୍ରଶେଖରପୁରରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।