ଟି-୨୦ ବିଶ୍ୱକପ : ଟିମ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ; ଲଗାତାର ଦ୍ୱିତୀୟ ଥର ପାଇଁ ହାରିଲା ଭାରତ

ନ୍ୟୁଜିଲାଣ୍ଡଠାରୁ ୮ ୱିକେଟ୍‌ରେ ହାରିବା ପରେ ସେମିଫାଇନାଲ ରେସରେ ପଛରେ ପଡିଲା ବିରାଟ ବାହିନୀ

176

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆର ଶୋଚନୀୟ ପରାଜୟ । ଉଭୟ ବୋଲିଂ ଓ ବ୍ୟାଟିଂରେ ଫେଲ ମାରିଲା ବିରାଟ ବାହିନୀ । ଲଗାତର ଦୁଇଟି ଶୋଚନୀୟ ପରାଜୟ ବରଣ କରିବା ପରେ ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ ବାଟହୁଡ଼ିଛି । ଭାରତର ଏହି ଆଶ୍ଚର୍ଯ୍ୟଜନକ, ଅପ୍ରତ୍ୟାଶିତ, ଅତ୍ୟନ୍ତ ଦୁର୍ବଳ ଓ ଦୟନୀୟ ପ୍ରଦର୍ଶନକୁ କେହି ଯେମିତି ବିଶ୍ବାସ କରି ପାରୁନାହାନ୍ତି ।

ବିଶେଷ କରି ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ମଧ୍ୟ କୋହଲି ବାହିନୀକୁ ଅନାୟାସରେ ଧୂଳି ଚଟାଇବା ସବୁ ଭାରତବାସୀଙ୍କୁ ସ୍ତବ୍ଧ କରିଦେଇଛି । ରବିବାରର ବୃହତ୍ ପରାଜୟ ପରେ ଭାରତ ଏକପ୍ରକାର ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି । ବରଂ ୨୦୦୭ ଏକଦିବସୀୟ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ଭଳି ଚଳିତ ଟି-୨୦ ବିଶ୍ବକପ୍‌ରେ ମଧ୍ୟ ପ୍ରଥମ ରାଉଣ୍ଡରୁ ବାଦ୍‌ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ୩୩ ବଲ୍ ପୂର୍ବରୁ ୮ ୱିକେଟ୍ ବିଜୟ ହାସଲ କରି ନ୍ୟୁଜିଲାଣ୍ଡ ତା’ର ସେମିଫାଇନାଲ୍ ପ୍ରବେଶ ଆଶାକୁ ଆହୁରି ଦୃଢ଼ କରିଛି ।

କୋହଲି ବାହିନୀ ସର୍ବଶ୍ରେଷ୍ଠ ଦାବିଦାରର ଉପାଧୀ ଏବଂ ପୁଣି ଥରେ ବିଜେତା ହେବାର ରଣହୁଙ୍କାର ସହ ବିଶ୍ବକପ୍‌କୁ ଯାଇଥିଲା । ଦୁବାଇରେ ଢେର ସମୟ ଧରି ଆଇପିଏଲ୍ ଖେଳୁଥିବାରୁ ସେଠାକାର ପାଗ ଓ ପରିବେଶକୁ ଭଲ ଭାବରେ ବୁଝି ଯାଇଥିବାର ବାହାସ୍ଫୋଟ ବି କିଛି ଖେଳାଳି ମାରୁଥିଲେ । ହେଲେ ପ୍ରଥମ ଦୁଇଟି ମ୍ୟାଚ୍‌ ପରେ ହିଁ ଟିମ୍ ଇଣ୍ଡିଆର ଏହି ଦମ୍ଭ ଅକାଳରେ ତୁଟି ଯାଇଛି । ପୁଣି ଥରେ ବ୍ୟାଟିଂ ଓ ବୋଲିଂରେ ପୂରା ବିଫଳ ହୋଇ ରବିବାର ଆଉ ଏକ ଲଜ୍ଜାଜନକ ପରାଜୟ ବରଣ କରିଛି ତାରକା ଖଚିତ ଭାରତୀୟ କ୍ରିକେଟ୍ ଦଳ । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଏହ‌ି ଅତ୍ୟନ୍ତ ମହତ୍ବପୂର୍ଣ୍ଣ ମୁକାବିଲାରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି ।

କୋଟି କୋଟି ପ୍ରଶଂସକ ଭାରତର ଏଭଳି ଦୁର୍ବଳ ପ୍ରଦର୍ଶନରେ ମର୍ମାହତ ଓ ନିରାଶ । ଭାରତ ବିନା ଲଢ଼େଇରେ ହାରିବା ହିଁ ସେମାନଙ୍କୁ ସବୁଠୁ ବେଶି ବାଧିଛି । ଅଭିଯାନର ପ୍ରଥମ ମୁକାବିଲା‌ରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ୧୦ ୱିକେଟ୍‌ରେ ପରାଜିତ ହେବାର ଦୁଃଖକୁ ପ୍ରଶଂସକ ଭୁଲି ନଥିଲା ବେଳେ ଆଜି ନ୍ୟୁଜିଲାଣ୍ଡଠାରୁ ଏକତରଫା ଭାବେ ହାରିଛି ଭାରତ । ଫଳରେ ଆଫଗାନିସ୍ତାନ ଓ ନାମିବ୍ୟା ଭଳି ଦଳଠାରୁ ତଳେ ରହିଛି । ଅତି ସାଧାରଣ ଏବଂ କ୍ଲବ୍ ସ୍ତରୀୟ କ୍ରିକେଟ୍‌ଠାରୁ ବି ଖରାପ ଖେଳି ଦୁଇଟି ମ୍ୟାଚ୍ ପରେ ବି ଖାତା ଖୋଲିପାରିନି । ଏବେ ଆଫଗାନିସ୍ତାନ, ନାମିବ୍ୟା ଓ ସ୍କଟଲାଣ୍ଡ ବିପକ୍ଷ ତିନିଟି ମ୍ୟାଚ୍ ବାକି ଅଛି । ଏସବୁକୁ ଜିତିଲେ ମଧ୍ୟ ଭାରତ ସେମିଫାଇନାଲ୍ ଯିବାର ସମ୍ଭାବନା ନାହିଁ ।