କରୋନା ପରେ କେରଳରେ ବ୍ୟାପିଲା ନୂଆ ଭୂତାଣୁ । ୬ ସଂକ୍ରମିତ, ୧ ମୃତ । ଜଳ, ଖାଦ୍ୟ ଓ ଯୌନ ସଂପର୍କରେ ସାବଧାନତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ

3,645

କନକ ବ୍ୟୁରୋ : ଯେତେବେଳେ ସାରା ବିଶ୍ୱ କରୋନା ଭୂତାଣୁ ଆତଙ୍କରେ ଆତଙ୍କିତ ହୋଇ ରହିଛି , ସେତେବେଳେ କେରଳରେ ପୁଣି ଏକ ନୂଆ ଭୂତାଣୁ ତା’ର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି । କେରଳର କୋଝିକୋଡ ଠାରେ ଏହି ଭୂତାଣୁ ସଂକ୍ରମଣରେ ଜଣେ ୧୧ ବର୍ଷିୟ ବାଳକର ମୃତ୍ୟୁ ହୋଇଛି । କେରଳରେ ଏହି ଶିଗେଲା ଭୂତାଣୁ ସଂକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ଲୋକ ଗମ୍ଭୀର ଭାବେ ଅସୁସ୍ଥ ହୋଇଛନ୍ତି । ଏନେଇ ଶନିବାର ଦିନ ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । କୁହାଯାଉଛି କି କରୋନା ଭଳି ଏହି ଭୂତାଣୁ ଘାତକ ହେବ । କାରଣ ଏହି ଭୂତାଣୁ ବି ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବା ଜଣାପଡିଛି ।

ସିଗେଲୋସିସି ନାମକ ଏହି ସଂକ୍ରମଣ ସିଗେଲା ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପୁଛି । ଏହି ଭୂତାଣୁ ଡାଇରିଆର ପରବର୍ତ୍ତି ଜିବାଣୁ ବୋଲି କୁହାଯାଉଛି । ଏହି ଭୂତାଣୁ ଦ୍ୱାରା ସବୁଠାରୁ ଅଧିକ ସଂକ୍ରମିତ ହେଉଛନ୍ତି କେରଳର କୋଝିକୋଡ ଠାରେ ଥିବା କୋଣ୍ଟାପରମ୍ବୁ ୱାର୍ଡ । କୋଝିକୋଡ ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି କି ନିର୍ଦ୍ଧିଷ୍ଟ ସେହି ଅଞ୍ଚଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ଜଣ ଡଇରିଆ ସଂକ୍ରମିତ ମେଡିକାଲରେ ଆଡମିଶନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଠାରେ ସିଗେଲା ଭୂତାଣୁ ଚିହ୍ନଟ ହୋଇଛି । ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣ ଶିଶୁଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଏବେ ଜିଲ୍ଲା ଚିକିତ୍ସା ଅଧିକାରୀ ଅନୁସନ୍ଧାନ କରୁଛନ୍ତି କି ସିଗେଲା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବାଳକ ସଂପର୍କରେ ଆସିଥିବା ଲୋକମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ ।

ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ମଣିଷ ଶରୀରରେ ୭ ଦିନ ପର୍ଯ୍ୟନ୍ତ ରହିପାରେ । ଯାହାର ଚିକିତ୍ସା ଆଣ୍ଟିବାୟୋଟିକ୍ ମେଡିସିନ ଦ୍ୱାରା କରାଯାଉଛି । ଯାହାଦ୍ୱାରା ୭ ଦିନ ପୂର୍ବରୁ ସଂକ୍ରମିତଙ୍କ ଦେହରୁ ଭୂତାଣୁଙ୍କୁ ଶେଷ କରାଯାଇ ପାରୁଛି । ଏନେଇ ଥିବା ଭ୍ୟାକସିନ ପ୍ରୟୋଗ ଦ୍ୱାରା କମ୍ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । ଫଳରେ ସିଗେଲା ଭୂତାଣୁକୁ ଆୟତ କରାଯାଇ ପାରିବ ବୋଲି କୁହାଯାଉଛି ।
ଏହି ଭୂତାଣୁର ବ୍ୟାକଟେରିଆ ଦୂଷିତ ଭୋଜନ, ଦୁଷିତ ପାଣି ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରିଥାଏ । ସଂକ୍ରମିତ ରୋଗୀଙ୍କ ମଳରୁ ବି ଏହି ଭୂତାଣୁ ଅନ୍ୟକୁ ସଂକ୍ରମିତ କରିଥାଏ । ଅନ୍ୟପଟେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଯୌନ ସଂପର୍କ ରଖିବା ଦ୍ୱାରା ବି ଏହି ରୋଗ ବ୍ୟାପି ଥାଏ। ଏହାସହ ସଂକ୍ରମିତ ଲୋକଙ୍କୁ ଛୁଇଁବା ଓ ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଭୋଜନ କରିବା ଦ୍ୱାରା ବି ଏହି ରୋଗ ବ୍ୟାପିଥାଏ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

କରୋନା ଭଳି ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ସ୍ୱଚ୍ଛତାକୁ ପ୍ରାଥମିକତା ଦେବାକୁ ହେବ । ଯେମିତି କି ବାରମ୍ବାର ହାତ ଧୋଇବା, ଅନ୍ୟ ମାନଙ୍କ ସହିତ ହାତ ନ ମିଳାଇବା ଓ କରମର୍ଦ୍ଦନ ନକରିବା , ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୂରତା ରକ୍ଷା କରିବା, ଏହାସହ ଖାଦ୍ୟ ଓ ପାନୀୟର ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବା , ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଭଳି ଖାଦ୍ୟ ଖାଇବା ଉପରେ ଧ୍ୟାନ ଦେବାକୁ ହେବ । ଏହା ପରେ ଯଦି କିଛି ଲକ୍ଷଣ ଦେଖାଦେବ ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା । ଅନ୍ୟପଟେ ଏହି ଭୂତାଣୁର ଭୟାବହତାକୁ ନଜରରେ ରଖି କେରଳର ସମସ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସ୍ୱଚ୍ଛତା ଆଣିବା ସହ ଘରୋଇ ପାଣିଟାଙ୍କି ସଫା କରିବାକୁ ପରାମର୍ଶ ଦିଆଯାଇଛି ।