ସାମ୍ନାକୁ ଆସିଲା ଗଲୱାନ ସଂଘର୍ଷର ନୂଆ ଭିଡ଼ିଓ । ଚୀନ ଗଣମାଧ୍ୟମରେ ସଇତାନ୍ ଷଡ଼ଯନ୍ତ୍ରର ସତ ।

193

କନକ ବ୍ୟୁରୋ: ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ୍ ସଂଘର୍ଷକୁ ପ୍ରାୟ ୮ମାସ ବିତିଗଲାଣି । ପରସ୍ପରର ସହମତି ଭିତିରେ ପୂର୍ବ ଲଦାଖର ଏଲଏସି ନିକଟରୁ ଦୁଇ ଦେଶର ସେନା ପଛକୁ ହଟୁଛନ୍ତି । ଚୀନ ସେନା ଗଲୱାନ ଛାଡ଼ି ଚାଲିଯାଇଥିବା ବେଳେ ପେଙ୍ଗଙ୍ଗ ହ୍ରଦର ଫିଙ୍ଗର-୮ ପଛକୁ ହଟିଯାଇଛି । ଆଉ ଏହାରି ଭିତରେ ଗଲୱାନ ଗଣ୍ଡଗୋଳର ନୂଆ ଭିଡ଼ିଓ ଜାରି କରି ପୁଣି ପ୍ରୋପାଗଣ୍ଡା ଆରମ୍ଭ କରିଦେଇଛି ଚୀନ । ଏହି ଭିଡିଓରେ ଦୁଇ ଦେଶର ସେନା ମୁହାଁମୁହିଁ ହେଉଛନ୍ତି । ଗୋଟିଏ ପଟେ ଚୀନ ସେନା ରହିଥିବାବେଳେ ଅନ୍ୟ ପଟେ ଭାରତୀୟ ସେନା ରହିଛି । ଚୀନ ସେନା ପଟରେ ଶୀତ ପୋଷାକ ପିନ୍ଧିଥିବା ବ୍ୟକ୍ତି ପିଏଲଏର ଜଣେ ବରିଷ୍ଠ ଅଧିକାରୀ । କୁହାଯାଉଛି ନିକଟରେ ଏହି ଅଧିକାରୀଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରିଛି ଚୀନ । କାରଣ ଗତବର୍ଷ ଜୁନରେ ଗଲୱାନ ଗଣ୍ଡଗୋଳ ବେଳେ ଭାରତୀୟ ସେନାକୁ ଅଟକାଇବାର ଦମ୍ଭ ଦେଖାଇଥିଲେ ପିଏଲଏର ଏହି ଅଧିିକାରୀ ଜଣକ ।

ପୂର୍ବ ଲଦାଖର ଗଲୱାନ ଘାଟିରେ ଗତବର୍ଷ ଜୁନରେ ହୋଇଥିବା ଗଣ୍ଡଗୋଳରେ ଚୀନ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ଫାଙ୍କି ଆସୁଥିଲା ବେଜିଂ । ହେଲେ ପ୍ରଥମଥର ପାଇଁ ଏହି ସତକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ଜିନପିଙ୍ଗ ସରକାର । କାରଣ ଗଲୱାନ ସଂଘର୍ଷରେ ମୃତ ସୈନିକଙ୍କୁ ସମ୍ମାନିତ କରିଛନ୍ତି ଜିନପିଙ୍ଗ ସରକାର । ଏନେଇ ଚୀନର ଏକ ସ୍ଥାନୀୟ ମିଡିଆ ଖବର ପ୍ରସାରଣ କରିବା ପରେ ସତ ପଦାକୁ ଆସିଛି । ପିଏଲଏର ୪ ଜଣ ସୈନିକଙ୍କୁ ମରୋଣତ୍ତର ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଜଣେ କର୍ଣ୍ଣେଲ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଚୀନର ସେଂଟ୍ରାଲ ମିଲିିଟାରୀ କମିଶନ ସୂଚନାକୁ ଆଧାର କରି ଏଭଳି ଖବର ପ୍ରକାଶ କରିଥିଲା ଚୀନ ମିଡିଆ ପିପୁଲ୍ସ ଡେଲି । ଏବେ ଚୀନର ଏକାଧିକ ମିଡ଼ିଆରେ ଏହି ଖବର ପ୍ରସାରଣ ହୋଇଛି । ଏପରିକି ଚୀନ ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମସରେ ମଧ୍ୟ ୪ ସୈନିକଙ୍କୁ ମରଣୋତର ସମ୍ମାନ ପ୍ରଦାନ କରାଯିବା ପ୍ରସାରଣ ହୋଇଛି ।