ନୂଆ ଷ୍ଟ୍ରେନ, ନୂଆ ଚିନ୍ତା : ଭାରତରେ ନୂଆ ଷ୍ଟ୍ରେନ ହୋଇପାରେ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ

ଏମ୍ସ ନିର୍ଦ୍ଦେଶକ କହିଲେ, ଦେଶରେ ହର୍ଡ ଇମ୍ୟୁନିଟି କଳ୍ପନା ମାତ୍ର; ଦେଶରେ କରୋନାର ୨୪୦ ପ୍ରକାରର ନୂଆ ଷ୍ଟ୍ରେନ

917

କନକ ବ୍ୟୁରୋ : ଭାରତରେ କରୋନା ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ହୋଇପାରେ । କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ବଢିଥିବା ବେଳେ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି, ଭାରତରେ ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ ହୋଇପାରେ । ନୂଆ ଷ୍ଟ୍ରେନରେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ପରେ ପୁଣି ଆକ୍ରାନ୍ତ ହେବା ସମ୍ଭାବନା ରହିଛି ।

ସେହିପରି ଭାରତରେ ହର୍ଡଇମ୍ୟୁନିଟି ହୋଇଥିବା ଏକ କଳ୍ପନା ମାତ୍ର ବୋଲି କହିଛନ୍ତି ରଣଦୀପ ଗୁଲେରିଆ । କାରଣ ୮୦ ପ୍ରତିଶତ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେବା ଜରୁରୀ । ଏହାଛଡା ନୂଆ ଷ୍ଟ୍ରେନ ମଣିଷ ଦେହରେ ବିକଶିତ ଆଂଟିବଡିରୁ ବଂଚିବା ପାଇଁ ରାସ୍ତା ଖୋଜି ନେଉଛନ୍ତି । ତେଣୁ ଭ୍ୟାକ୍ସିନ ଜରିଆରେ ଶରୀରରେ ସୃଷ୍ଟି ହୋଇଥିବା ଆଂଟିବଡି ବା କରୋନା ମୁକ୍ତ ପରେ ଶରୀରରେ ଆଂଟିବଡି ସୃଷ୍ଟି ହୋଇଥିବା ବ୍ୟକ୍ତି ମଧ୍ୟ ନୂଆ ଷ୍ଟ୍ରେନରେ ସଂକ୍ରମିତ ହେବା ଆଶଙ୍କା ରହିଛି । ଏଣୁ କରୋନାକୁ ନେଇ ପୂର୍ବ ଭଳି ସତର୍କତା ରହିବା ଜରୁରୀ ବୋଲି କହିଛନ୍ତି ଗୁଲେରିଆ ।

ସେପଟେ ମହାରାଷ୍ଟ୍ରର କୋଭିଡ ଟାସ୍କଫୋର୍ସ ସଦସ୍ୟ ଡକ୍ଟର ଶଶାଙ୍କ ଜୋଶୀ କହିଛନ୍ତି, ଦେଶରେ ୨୪୦ ନୂଆ ଷ୍ଟ୍ରେନ ଠାବ ହୋଇଛି । ଯାହା ମହାରାଷ୍ଟ୍ରରେ ଅଚାନକ ପଜିଟିଭ ମାମଲା ବଢିବାର ବଡ କାରଣ । ମହାରାଷ୍ଟ୍ର ଛଡା କେରଳ, ମଧ୍ୟପ୍ରଦେଶ, ଛତିଶଗଡ ଓ ପଂଜାବରେ ଅଚାନକ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ଏପଟେ ଭାରତ ସରକାର କୋଭିଡ ଟିକା ଦେଇ କରୋନା ଚେନ ଭାଙ୍ଗି ହର୍ଡ ଇମ୍ୟୁନିଟ ବା ସାମୁହିକ ରୋଗ ପ୍ରତିରୋଧ ଶକ୍ତି ବଢାଇବାକୁ ଚେଷ୍ଟା ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାକୁ ତାଲିକା କରାଯାଇ ଟିକାକରଣ ଚାଲିଛି । ଏହାପରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଏକାଧିକ ଗମ୍ଭୀର ରୋଗରେ ଆକ୍ରାନ୍ତ ୨୭ କୋଟି ଲୋକଙ୍କୁ ଟିକାଦିଆଯିବ ।