୧୭ ଦିନରେ ଚାଷୀ ଆନ୍ଦୋଳନ: ଆଜି ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ଅବରୋଧ କରିବେ ଆନ୍ଦୋଳନକାରୀ

ସୁରକ୍ଷା କଡାକଡି, ଫରିଦାବାଦ-ଗୁରୁଗ୍ରାମ ସୀମାରେ ୬୦ ମାଜିଷ୍ଟ୍ରେଟ ନିୟୋଜିତ

55

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ୧୭ ଦିନରେ ପହଁଚିଥିଲେ ମଧ୍ୟ ଥମିବାର ନା ଧରୁନି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ ଚାଷୀ । ହେଲେ ସରକାର ଆଇନରେ କେତେକ ସଂଶୋଧନ କରିବାକୁ ରାଜି ଥିବାବେଳେ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ମନା କରିବା ପରେ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ସରକାରଙ୍କ ଉପରେ ଅଧିକ ଚାପ ପକାଇବା ପାଇଁ ଆନ୍ଦୋଳନକାରୀ ଚାଷୀ ଆଜି ଦିଲ୍ଲୀ –ଜୟପୁର ଜାତୀୟ ରାଜପଥ ଅବରୋଧ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି କୃଷକମାନେ ଦେଶର ବିଭିନ୍ନ ଟୋଲ ପ୍ଲାଜାରେ ଧାରଣା ଦେବାର କାର୍ଯ୍ୟକ୍ରମ ରହିଛି । ପରିସ୍ଥିତିକୁ ନଜରରେ ରଖି ଗୁରୁଗ୍ରାମ ଓ ଫରିଦାବାଦରେ ସୁରକ୍ଷାକୁ କଡାକଡି କରାଯାଇଛି । ସୀମାରେ ୬୦ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । ଏଥିସହ ୧୪ ତାରିଖରେ ଦେଶବ୍ୟାପି ବିକ୍ଷୋଭ କରିବାକୁ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଦିଲ୍ଲୀକୁ ସଂଯୋଗ କରୁଥିବା ବିଭିନ୍ନ ସୀମାରେ ହଜାର ହଜାର ଚାଷୀ ଏକାଠି ହୋଇ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି । ଦିନକୁ ଦିନ ଆନ୍ଦୋଳନ ତେଜୁଥିବା ବେଳେ ଗତକାଲି ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରିଛନ୍ତି ଭାରତୀୟ କିଶାନ୍ ୟୁନିୟନ । ନୂଆ କୃଷି ଆଇନକୁ ରଦ୍ଦ କରିବାକୁ ଆବେଦନ କରାଯାଇଛି ।