ଦେଶରେ ୫ଟି ରାଜ୍ୟକୁ ବ୍ୟାପିଲା କରୋନାର ନୂଆ ପ୍ରଜାତି । ଓମିକ୍ରନ୍ ଭୟ ଭିତରେ ଦିଲ୍ଲୀ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଆସିଲା ଭୟଙ୍କର ଦୃଶ୍ୟ

1,895

କନକ ବ୍ୟୁରୋ :  ଓମିକ୍ରନ୍ ଭୂତାଣୁକୁ ନେଇ ଦେଶର ଅନେକ ରାଜ୍ୟରେ କରୋନାର ଗାଇଡ୍ ଲାଇନ୍କୁ କଡା କଡି ଭାବେ ପାଳନ କରାଯାଉଛି । ଦେଶରେ ଏବେ ୫ଟି ରାଜ୍ୟରେ ପହଁଚି ସାରିଲାଣି ‘ଓମିକ୍ରନ୍’ । ଆଉ ନୂଆ ପ୍ରଜାତି ‘ଓମିକ୍ରନ୍’ରେ ଆକ୍ରାନ୍ତ ସଂଖ୍ୟା ୨୩   । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଛି । କରୋନା ଟିକା ନେବା ପାଇଁ ଉପଦେଶ ଦେବା ସହ ମାସ୍କ ବ୍ୟବହାର ଏବଂ ଗହଳି ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଉଛି ।

ଓମିକ୍ରନ୍ ପ୍ରଜାତି ନେଇ ଏୟାରପୋର୍ଟ ଗାଇଡଲାଇନ ଲାଗୁ ହେବା ପରେ ଦିଲ୍ଲୀ ବିମାନ ବନ୍ଦରରେ ଗହଳି ଏବଂ ହୋ ହଲ୍ଲା ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଯାହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ଦିଲ୍ଲୀ ଏୟାରପୋର୍ଟ ଅଥରିଟି ସହ ଆଲୋଚନା କରି ଗହଳି ନିୟନ୍ତ୍ରଣ ନେଇ ଆଲୋଚନା କରିଛନ୍ତି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ଭୟବୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ଦିଲ୍ଲୀରେ ଏବେ ଲକ୍ଡାଉନର କୌଣସି ସୂଚନା ନଥିବା କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

 ସାରା ବିଶ୍ୱରେ ୨୫ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି ଓମିକ୍ରନ୍ । ଭାରତରେ ଓମିକ୍ରନ୍ ଚିହ୍ନଟ ହେବା ପରେ ବିଭିନ୍ନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଡା ନିୟମ ପାଳନ କରାଯାଉଛି । ତେବେ ଓମିକ୍ରନ୍ ସଂକ୍ରମିତଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ହିଁ ଦେଖିବାକୁ ମିଳୁଛି । ଏଥିପାଇଁ ଦେଶବାସୀଙ୍କୁ କରୋନା ଟିକା ନେବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି କେନ୍ଦ୍ର ସରକାର ।