ଶ୍ରୀମନ୍ଦିର ପାଇଁ ପ୍ରଶାସନ ଆଣିଲା ନୂଆ ଏସଓପି । ରବିବାର ବନ୍ଦ ରହିବ ମନ୍ଦିର, ସପ୍ତାହକୁ ଦୁଇ ଥର ହେବ ସାନିଟାଇଜ୍ । 

121

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଆଣିଛି ମନ୍ଦିର ପ୍ରଶାସନ । ଏଣିକି ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହିତ ଏହିଦିନ ସମ୍ପୂର୍ଣ୍ଣ ମନ୍ଦିରକୁ ସାନିଟାଇଜ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଖାଲି ସେତିକି ନୁହେଁ, ରବିବାର ମନ୍ଦିର ବନ୍ଦ ରହିବା ସହିତ ରାତିରେ ସପ୍ତାହକୁ ଦୁଇଦିନ ମନ୍ଦିର ସାନିଟାଇଜ ହେବ । ତା ସହିତ ମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ୍ କଡାକଡି ଭାବେ ପାଳନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ରାଜ୍ୟରେ ଏବେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି ।  ଏଥିପାଇଁ ରାଜ୍ୟ ସରକାର କିଛି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ମଧ୍ୟ ଲାଗୁ କରିଲେଣି । ଯଦି ଆଗୁଆ ସାବଧାନତା ଅବଲମ୍ବନ କରାନଯାଏ ତେବେ ସଂକ୍ରମଣ ସୀମା ଟପିବ ବୋଲି ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଅଣାଯିବା ସହିତ କଟକଣା ଲାଗୁ କରାଯାଇଛି ।