କଳାଟଙ୍କାର ନୂଆ ଠିକଣା ହଂକଂ, ସିଙ୍ଗାପୁର ! ସ୍ୱିସ୍‌ ବ୍ୟାଙ୍କରୁ ଦୂରେଇ ଯାଉଛନ୍ତି ଭାରତୀୟ ଜମାକାରୀ

19

କନକ ବ୍ୟୁରୋ : ବିଦେଶୀ ବ୍ୟାଙ୍କରେ ଟଙ୍କା ଜମା ରଖିବା ଲାଗି ଭାରତୀୟମାନେ ଆଉ ସ୍ୱିଜରଲାଣ୍ଡ ବା ସ୍ୱିସ୍‌ ବ୍ୟାଙ୍କଗୁଡ଼ିକୁ ସେତେଟା ପସନ୍ଦ କରୁନାହାନ୍ତି । ସ୍ୱିଜରଲାଣ୍ଡ ବା ସ୍ୱିସ୍‌ ବ୍ୟାଙ୍କରୁ ବିଦେଶୀଙ୍କ ଜମା ଟଙ୍କା ସମ୍ପର୍କିତ ସୂଚନା ମିଳିବା ଧୀରେ ଧୀରେ ସହଜ ହେବାରେ ଲାଗିଛି । ଫଳରେ ଭାରତୀୟମାନେ ସ୍ୱିସ୍‌ ବ୍ୟାଙ୍କ ପରିବର୍ତ୍ତେ ଏସିଆର କେତେକ ଦେଶ ଯଥା ହଂକଂ, ସିଙ୍ଗାପୁର, ମକାଉ ଆଦିକୁ ଏବେ ଟଙ୍କା ଜମା ରଖିବା ଲାଗି ପସନ୍ଦ କରୁଛନ୍ତି । ୨୦୦୭ରେ ବିଦେଶରେ ଭାରତୀୟମାନେ ଯେତିକି ପରିମାଣର ଅର୍ଥ ରଖିଥିଲେ ତାହା ମଧ୍ୟରୁ ପ୍ରାୟ ୫୮ ପ୍ରତିଶତ ଅର୍ଥ ସ୍ୱିସ୍‌ ବ୍ୟାଙ୍କରେ ରହିଥିଲା । କିନ୍ତୁ ୨୦୧୫ ବେଳକୁ ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି ୩୧ ପ୍ରତିଶତକୁ କମି ଆସିଛି ।

ଭାରତ ସମେତ ବିଶ୍ୱର ବିଭନ୍ନ ଦେଶ ବିଦେଶରେ କେତେ ଅର୍ଥ ଜମା ରଖିଛନ୍ତି ସେ ସମ୍ପର୍କିତ ଏକ ଆକଳନ ବେସେଲ୍‌ଭିିତ୍ତିକ ବ୍ୟାଙ୍କ ଅଫ୍‌ ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟ୍‌ (ବିଆଇଏସ୍‌) ପକ୍ଷରୁ ପ୍ରକାଶ କରାଯାଇଥିଲା । ହେି ତଥ୍ୟକୁ ଅର୍ଥନୀତିଜ୍ଞମାନେ ବିଶ୍ଳେଷଣ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତିଜ୍ଞ ଗାବ୍ରିଏଲ୍‌ ଜୁକ୍‌ମାନ୍‌ ଏବଂ ତାଙ୍କର କେତେଜଣ ସହଯୋଗୀମାନେ ଏହି ତଥ୍ୟକୁ ବିଶ୍ଳେଷଣ କରିଛନ୍ତି। ବିଶ୍ୱର ବିଭିନ୍ନ ଦେଶର ଧନୀ ବ୍ୟକ୍ତିମାନେ ସେମାନଙ୍କ ଦେଶ ବାହାରେ ମୋଟ ୮.୬ ଲକ୍ଷ କୋଟି ଟଙ୍କା ଜମା ରଖିଛନ୍ତି । ଏହା ବିଶ୍ୱ ଜିଡିପିର ପ୍ରାୟ ୧୧.୬ ପ୍ରତିଶତ। ୨୦୦୭ ତୁଳନାରେ ଏହି ରାଶିରେ ୫୪ ପ୍ରତିଶତ ବୃଦ୍ଧି ଘଟିଛି। ରିଅଲ ଇଷ୍ଟେଟ ଭଳି ସ୍ଥାବର ସମ୍ପତ୍ତିକୁ ଏଥିରେ ହିସାବକୁ ନିଆଯାଇ ନାହିଁ ।

ସ୍ୱିସ୍‌ ବ୍ୟାଙ୍କରୁ ବିଦେଶୀଙ୍କ ଜମା ଅର୍ଥ ସଂକ୍ରାନ୍ତରେ ତଥ୍ୟ ମିଳିବା ପୂର୍ବରୁ ଅତ୍ୟନ୍ତ କଷ୍ଟକର ଥିଲା । ଏତଦ୍‌ବ୍ୟତୀତ ସେଠାରେ ଟିକସ ହାର ମଧ୍ୟ ଖୁବ୍‌ କମ୍‌ ରହିଥିଲା । ଫଳରେ ଭାରତ ସମେତ ବିଭିନ୍ନ ଦେଶର ଧନୀ ବ୍ୟକ୍ତି ସେମାନଙ୍କ ଅର୍ଥକୁ ସ୍ୱିସ୍‌ ବ୍ୟାଙ୍କରେ ଜମା ରଖିବାକୁ ପସନ୍ଦ କରୁଥିଲେ। ଟ୍ୟାକ୍ସ ହେଭେନ୍ସ ଭାବେ ପରିଚିତ ଦେଶ ଗୁଡ଼ିକ ମଧ୍ୟରେ ସ୍ୱିଜରଲାଣ୍ଡ ଆଗରେ ରହିଥିଲା। କିନ୍ତୁ ଏବେ ସ୍ୱିଜରଲାଣ୍ଡ୍‌ରୁ ବିଦେଶୀଙ୍କ ବ୍ୟାଙ୍କ ଜମା ସମ୍ପର୍କିତ ତଥ୍ୟ ମିଳିବା ସହଜ ହେଲାଣି । ଫଳରେ ବିଭିନ୍ନ ଦେଶର ଲୋକମାନେ ଟିକସ ଫାଙ୍କିବା ପାଇଁ ସ୍ୱିଜରଲାଣ୍ଡ ପରିବର୍ତ୍ତେ ବିଶ୍ୱର ଅନ୍ୟ କେତେକ ଦେଶକୁ ପସନ୍ଦ କରୁଛନ୍ତି । କିନ୍ତୁ ସ୍ୱିଜରଲାଣ୍ଡ ସମେତ ଟ୍ୟାକ୍ସ ହେଭେନ୍ସ ଭାବେ ପରିଚିତ ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ଭାରତୀୟମାନଙ୍କ ଜମାରାଶି ୨୦୦୭ରୁ ୨୦୧୫ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।

୨୦୧୫ରେ ଏହି ରାଶି ପ୍ରାୟ ୬୨.୯ ବିଲିଅନ ଡଲାର ବା ପ୍ରାୟ ୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଦେଶର ମୋଟ ଜିଡିପିର ଏହା ପ୍ରାୟ ୩.୧ ପ୍ରତିଶତ। ସେହିଭଳି ବିଦେଶରେ ଭାରତୀୟମାନେ ଜମା ରଖିଥିବା ଅର୍ଥ ମଧ୍ୟରୁ ୫୩ ପ୍ରତିଶତରୁ ଅଧିକ ଅର୍ଥ ଏସୀୟ ଦେଶ ଗୁଡ଼ିକରେ ରହିଛି। ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ଅର୍ଥ ୨୦୦୭ରେ ସ୍ୱିସ୍‌ ବ୍ୟାଙ୍କରେ ୫୮ ପ୍ରତିଶତ ଥିବାବେଳେ ୨୦୧୫ବେଳକୁ ଏହା ୩୧ ପ୍ରତିଶତକୁ ଖସିଆସିଛି। ବେସେଲ୍‌ ଭିତ୍ତିକ ବ୍ୟାଙ୍କ ଅଫ୍‌ ଇଣ୍ଟରନ୍ୟାସନାଲ ସେଟଲେମେଣ୍ଟସ (ବିଆଇଏସ୍‌) ପକ୍ଷରୁ ହୋଇଥିବା ତଥ୍ୟ ବିଶ୍ଳେଷଣରୁ ଏହି ବିଷୟ ପଦାକୁ ଆସିଛି। ସ୍ୱିସ୍‌ ବ୍ୟାଙ୍କରେ ଟଙ୍କା ଜମା ରଖିବା କ୍ଷେତ୍ରରେ ସଂଯୁକ୍ତ ଆରବ ଏମିରେଟ୍‌ସ ବା ୟୁଏଇ ସର୍ବାଗ୍ରେ ରହିଛି। ଏହାପଛକୁ ଯଥାକ୍ରମେ ଭେନେଜୁଏଲା, ସାଉଦି ଆରବ, ରୁଷିଆ, ଆର୍ଜେଣ୍ଟିନା, ଗ୍ରୀସ୍‌, ତାଇଓ୍ଵାନ୍‌, ପର୍ତ୍ତୁଗାଲ, ତୁର୍କୀ ଆଦି ଦେଶ ରହିଛନ୍ତି ।