ପାକିସ୍ତାନ ହକି ଟିମ୍ ପାଇଁ ବଢିଲା ଅଡୁଆ । କଳିଙ୍ଗ ଷ୍ଟାଡିୟମରେ ବିଶୃଙ୍ଖଳିତ ଆଚରଣ ପାଇଁ ପାକିସ୍ତାନର ସହକାରୀ ପ୍ରଶିକ୍ଷକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲା ଏଫଆଇଏଚ୍

276

କନକ ବ୍ୟୁରୋ : ପାକିସ୍ତାନ ହକି ଟିମ୍ ପାଇଁ ଅଡୁଆ ବଢୁଛି । ଅଧିନାୟକ ମହମ୍ମଦ ରିଜୱାନ ଆହତ ହୋଇ ବିଶ୍ବକପରୁ ବାଦ୍ ପଡ଼ି ସାରିଛନ୍ତି। ଉପ-ଅଧିନାୟକ ଅହମ୍ମଦ ବଟ୍ଟ ବି ଗୋଟିଏ ମ୍ୟାଚରୁ ବାସନ୍ଦ ହୋଇଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ହକି ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ବିଶ୍ବକପର ନିୟମ ଉଲଂଘନ କରିଥିବା ଅଭିଯୋଗରେ ପାକିସ୍ତାନର ସହକାରୀ ପ୍ରଶିକ୍ଷକ ଦାନିଶ କଲିମଙ୍କ ବିରୋଧରେ ଅନ୍ତର୍ଜାତୀୟ ହକି ମହାସଂଘ ତଦନ୍ତ ନିର୍ଦେଶ ଦେଇଛି। କଲିମ ମାଲେସିଆ ବିପକ୍ଷ ମ୍ୟାଚ୍ ବେଳେ ପ୍ରତିଯୋଗିତାର ନିର୍ଧାରିତ ନୀତି ନିୟମ ଅନୁସରଣ ନ କରି ଷ୍ଟାଡିୟମ୍ ଭିତରେ ବୁଲୁଥିବା ଅଭିଯୋଗ ହୋଇଛି।


ଶୁକ୍ରବାର ସେ ଏଫଆଇଏଚ୍ ଅଧିକାରୀଙ୍କ ନିକଟରେ ଏଥିନେଇ ହାଜର ହୋଇଥିଲେ। ଏହି ବିଷୟ ପାକିସ୍ତାନ ପ୍ରଶିକ୍ଷକ ମଣ୍ଡଳିର ଅନ୍ୟତମ ସଦସ୍ୟ ତୌକିର ଦାର ମଧ୍ୟ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଆମ ବିରୋଧରେ ଆଉ ଏକ ତଦନ୍ତ ନିର୍ଦେଶ ଦିଆଯାଇଛି। ମାଲେସିଆ ବିପକ୍ଷ ମ୍ୟାଚ୍ ବେଳେ ଦାନିଶ ଓ ମୁଁ ଷ୍ଟାଡିୟମ୍ ଟେରାସରେ ବସି ମ୍ୟାଚ୍ ଦେଖୁଥିଲୁ। ପ୍ରବନ୍ଧକ ହାସନ ସର୍ଦାର ଓ ପ୍ରଶିକ୍ଷକ ରେହାନ ବଟ୍ଟଙ୍କ ସହ ଆମେ ୱାକି-ଟକିରେ ବାର୍ତାଳାପ କରୁଥିଲୁ। ହାସନ ଭାଇଙ୍କ ପାଖକୁ ଦାନିଶ ହାତରେ ମୁଁ କିଛି କାଗଜପତ୍ର ପଠାଇଥିଲି। ଏହାକୁ ଦେଇ ପୁଣି ଥରେ ଟେରିସକୁ ଫେରିଲା ବେଳେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ ସ୍ବୀକୃତିପତ୍ର ମାଗିଥିଲେ ଏବଂ ଖରାପ ବ୍ୟବହାର କରିଥିଲେ।

ଦାନିଶ ସେମାନଙ୍କୁ ସେମାନଙ୍କ ନାଁ ପଚାରିଥିଲେ। କାରଣ ସେମାନଙ୍କ ବିରୋଧରେ ଆମେ ଅଭିଯୋଗ କରିବାକୁ ଚାହୁଁଥିଲୁ। ହେଲେ ଆମେ ଅଭିଯୋଗ କରିବା ପୂବର୍ରୁ ସେମାନେ ଆମ ନାଁରେ ଆଗୁଆ ଅଭିଯୋଗ କରିଦେଇଛନ୍ତି ବୋଲି କହିଛନ୍ତି ତୌକିର ।