ତୃଣମୂଳସ୍ତରରେ ଡାକସେବା ପହଞ୍ଚାଇବା ପାଇଁ ଯୋଜନା : ଲାଲଗଡ଼ରେ ଖୋଲିବ ୧୩୩ ଡାକଘର

191
କନକ ବ୍ୟୁରୋ : ରାଜ୍ୟରେ ଡାକସେବାକୁ ତୃଣମୂଳସ୍ତରକୁ ନେବା ପାଇଁ ଯୋଜନା କରିଛି ଡାକ ବିଭାଗ । ବିଶେଷକରି ଲାଲଗଡ଼ରେ ‌ସମୁଦାୟ ୧୩୩ଟି ଡାକଘର ଖୋଲିବାକୁ ଯୋଜନା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୪୦ଟି କାର୍ଯ୍ୟ ଶେଷ ହୋଇଛି । ଏଥିରେ ସମ୍ବଲପୁରରେ ୨୭ଟି ଓ ବଲାଙ୍ଗୀର ଓ ସୁନ୍ଦରଗଡ଼କୁ ମିଶାଇ ୧୩ଟି ଡାକଘର ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା ।

ଆଜି ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାମିଲା କହିଲେ ଯେ ପ୍ରତିବର୍ଷ ଡାକ ବିଭାଗ ଅକ୍ଟୋବର ୯ତାରିଖରେ ‘ବିଶ୍ବ ଡାକ ଦିବସ’ଠାରୁ ଆରମ୍ଭ କରି ୧୫ତାରିଖ ପର୍ଯ୍ୟନ୍ତ ‘ରାଷ୍ଟ୍ରୀୟ ଡାକ ଦିବସ‘ ପାଳନ କରିଆସୁଛି । ଓଡ଼ିଶା ପରିମଣ୍ଡଳରେ ୩୦ବର୍ଷ ବ୍ୟବଧାନରେ ଚଳିତବର୍ଷ ଏପ୍ରିଲ ମାସରେ ରାୟଗଡ଼ା ଡାକ ମଣ୍ଡଳ ଓ ଜୁନ୍ ମାସରେ ରାଉରକେଲା ଡାକମଣ୍ଡଳ ଶୁଭାରମ୍ଭ ହୋଇଛି । ଏହି ଦୁଇ ନୂଆ ଡାକମଣ୍ଡଳ ଦ୍ବାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିବାସୀମାନେ ଉପକୃତ ହୋଇପାରିବେ ।
ସେହିପରି ଓଡ଼ିଶାରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ବା ଆଇପିପିବିର ୩୩ଟି ଶାଖା ଓ ୬୩୬୯ ଡାକଘରେ ଆକ୍ସେସ୍ ପଏଣ୍ଟ ଭାବେ କାର୍ଯ୍ୟ କରୁଛି । ଆଜିସୁଦ୍ଧା ୩ଲକ୍ଷ ୪୯ହଜାର ୩୫୦ ଆଇପିପିବି ଆକାଉଣ୍ଟ ଖୋଲାଯାଇଛି ଓ ତହିଁରୁ ୪୫ହଜାର ୯୨୩ଟି ଆକାଉଣ୍ଟ ଡାକଘର ସଂଚୟ ଖାତାକୁ ସଂଯୋଗ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୨୦୧୯/୨୦ରେ ମେରା ଅଭିମାନ-ସକ୍ଷମ ଗ୍ରାମ ପରିଯୋଜନାରେ ରାଜ୍ୟରେ ୭୫୩ଟି ଗ୍ରାମକୁ ଆଇପିପିବି ସକ୍ଷମ ଗ୍ରାମ କରାଯାଇଛି । ଯାହାକି ଧାର୍ଯ୍ୟ ଲକ୍ଷଠାରୁ ଅଧିକ । ଏହି ସଫଳତା ଯୋଗୁଁ ଓଡ଼ିଶା ଡାକ ପରିମଣ୍ଡଳ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରି ପୁରସ୍କୃତ ହେଇପାରିଛି । କମ୍ପ୍ୟୁଟର ଗ୍ରାହକ ସେବା ୬୯୬୩ ଶାଖା ଡାକଘରେ କାର୍ଯ୍ୟକାରୀ ହୋଇଛି । ରାଜ୍ୟର ୧୨୧୧ ବିଭାଗୀୟ ଡାକଘର ମଧ୍ୟରୁ ୧୦୨୭ଟି ଡାକଘରେ କୋର ବ୍ୟାଙ୍କିଂ ସେବା ଉପଲବ୍ଧ ହେଉଛି । ୭୦୦୬ ଶାଖା ଡାକଘର ମଧ୍ୟରୁ ୫୧୭୧ ଡାକଘର ଗୁଡ଼ିକୁ ସିଏସ୍‌ଆଇ ସେବାରେ ସାମିଲ କରାଯାଇଛି ।