ଦେଶକୁ ମିଳିଲା ନୂଆ କ୍ରୀଡାମନ୍ତ୍ରୀ,ସ୍ବାସ୍ଥ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ରେଳମନ୍ତ୍ରୀ । ଜାଣନ୍ତୁ, କେଉଁ ନେତାଙ୍କୁ ମିଳିଲା କେଉଁ ବିଭାଗ?

956

କନକ ବ୍ୟୁରୋ: ମୋଦୀ ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳବଦଳ ହେବା ସହିତ ଆଜି ଦେଶକୁ ମିଳିଛି ନୂଆ କ୍ରୀଡା ମନ୍ତ୍ରୀ । ହିମାଚଳ ପ୍ରଦେଶର ନେତା ତଥା ସାଂସଦ ଅନୁରାଗ ଠାକୁରଙ୍କୁ ମୋଦୀ ମନ୍ତ୍ରୀମଣ୍ଡଳରେ କ୍ରୀଡା ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ଏହାପୂର୍ବରୁ କିରଣ ରିଜିଜୁ ଦେଶର କ୍ରୀଡାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ହେଲେ ଏବେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ସହିତ ଅନୁରାଗଙ୍କୁ ନୂଆ ଦାୟିତ୍ୱ ମିଳିଛି । ଅନୁରାଗ ଠାକୁର ଦେଶର ନୂଆ କ୍ରୀଡା ଓ ଯୁବ ବ୍ୟାପାର ଏବଂ ସୂଚନା ପ୍ରସାରଣ ବିଭାଗର ଦାୟିତ୍ୱ ମିଳିଛି ।

ସେହିପରି ମଧ୍ୟପ୍ରଦେଶର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ହରଦୀପ ସିଂହ ପୁରୀଙ୍କୁ ତୈଳମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ମନସୁଖ ମାଣ୍ଡଭ୍ୟ ହୋଇଛନ୍ତି ମୋଦୀ ସରକାରର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ଆଜି ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହିତ ଦେଶ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ପାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସ୍ୱାସ୍ଥ୍ୟ ବିଭାଗ ସହିତ ସାର ଓ ରସାୟନ ବିଭାଗର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ । ହର୍ଷବର୍ଦ୍ଧନଙ୍କ ଇସ୍ତଫା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଦ ଖାଲି ରହିଥିଲା ଏବେ ମନସୁଖ ଦେଶର ଆଗାମୀ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାଯ୍ୟ ଭାର ସମ୍ଭାଳିବେ ।

ସେହିପରି ଦେଶକୁ ନୂଆ ଶିକ୍ଷାମନ୍ତ୍ରୀ ମଧ୍ୟ ମିଳିଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ କରି ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶର ଦାୟିତ୍ୱ ଦିଆଯାଇଛି । ସେହିପରି ଓଡିଶାରୁ ନିର୍ବାଚିତ ହୋଇ ରାଜ୍ୟସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ମୋଦୀ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ସେ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଛନ୍ତି ।

Comments are closed.