ଫାର୍ମସିଷ୍ଟ ନାହାନ୍ତି, ଛତୁ ଫୁଟିବା ଭଳି ଖୋଲୁଛି ଔଷଧ ଦୋକାନ! ଆପଣ କିଣୁଥିବା ମେଡିସିନ କେତେ ସୁରକ୍ଷିତ

64

କନକ ବ୍ୟୁରୋ : ସରକାରୀ ନିୟମକୁ ଜଳାଞ୍ଚଳି ଦେଇ ବାଲେଶ୍ୱରରେ ଛତୁ ଫୁଟିବା ଭଳି ଖୋଲିଛି ମେଡିସିନ ଷ୍ଟୋର । ଯୁଆଡେ ଦେଖିଲେ ଖାଲି ମେଡିସିନ ଷ୍ଟୋର ଦେଖିବାକୁ ମିଳୁଛି । ଜିଲ୍ଲାର ପ୍ରାୟ ୩୦ ପ୍ରତିଶତ ମେଡିସିନ ଷ୍ଟୋର ବିନା ଫାର୍ମାସିଷ୍ଟରେ ଚାଲିଛି । ଜିଲ୍ଲାରେ ଏଲୋପାଥିକ ଓ ହୋମିଓପାଥି ମିଶି ପ୍ରାୟ ୯୨୯ଟି ମେଡିସିନି ଷ୍ଟୋର ରହିଛି । ୨୭୦ ଜଣ ହୋଲସେଲର ରହିଛନ୍ତି । ହେଲେ ପ୍ରାୟ ଅଧିକାଂଶ ଔଷଧ ଦୋକାନ ବେଆଇନ ଭାବେ ଚାଲିଛି ।

ସରକାରୀ ନିୟମ କହୁଛି ମେଡିସିନି ଷ୍ଟୋର ଖୋଲିବା ପାଇଁ ଜଣେ ଫାର୍ମାସିଷ୍ଟଙ୍କ ନାଁରେ ଲାଇସେନ୍ସ ରହିବା ସହ ଦୋକାନରେ ଖୋଦ୍ ଫାର୍ମାସିଷ୍ଟ ଉପସ୍ଥିତ ରହିବେ । କିନ୍ତୁ ବାଲେଶ୍ୱରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଫାର୍ମାସିଷ୍ଟ ଅନ୍ୟତ୍ର ଚାକିରି କରୁଥିବା ବେଳେ ମିଛ ସତ୍ୟପାଠ ଦାଖ କରି ତାଙ୍କ ନାଁରେ ଲାଇସେନ୍ସ ବାହାରି ଔଷଧ ବ୍ୟବସାୟୀ ଚାଲିଛି । ଏନେଇ ଫାର୍ମାସିଷ୍ଟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ ସଚିବ ଓ ଡ୍ରଗ କଂଟ୍ରୋଲରଙ୍କୁ ଅବଗତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲ୍ଲା ଚିକିତ୍ସାଧିକାରୀ କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବା କୁହାଯାଉଛି । ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ବେଆଇନ୍ ଔଷଧ ଦୋକାନୀଙ୍କ ଉପରେ ନଜର ରଖାଯିବ ବୋଲି ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ।