ରାଜ୍ୟରେ ରକ୍ତଚରିତ୍ର ଉପରେ ଲାଗିବ ରୋକ୍ । ସଂଗଠିତ ଅପରାଧ ରୋକିବାକୁ ଆସିବ ନୂଆ ଆଇନ୍ !

279

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଢାଞ୍ଚାରେ ଓଡ଼ିଶାରେ ଆସିବ ଗୁଣ୍ଡା ବିଲ୍ । ସାବାଡ଼ ହେବେ ଅସାମାଜିକ ଓ ଅପରାଧୀ । ରାଜରାସ୍ତାରେ ଉତ୍ପାତ କରୁଥିବା, ଲୋକଙ୍କୁ ଡରାଇ ଧମକାଇ ଦାଦାବଟି ଆଦାୟ କରୁଥିବା, ସଂଗଠିତ ଅପରାଧ କରିବାର ମାନସିକତା ରଖୁଥିବା ବ୍ୟକ୍ତି ଆଉ ବର୍ତିପାରିବେ ନାହିଁ । ଏପରିକି ଏମାନଙ୍କ ପଛରେ ଥିବା ବ୍ୟକ୍ତି ମଧ୍ୟ ସାବାଡ଼ ହେବେ । ନୂଆ ବିଲରେ କଠୋର ଦଣ୍ଡବିଧାନ ସହ ସମ୍ପତି ବ୍ୟାଜାପ୍ତି ପାଇଁ ଯୋଜନା ରଖିଛନ୍ତି ସରକାର ।

ଗତ କିଛି ଦିନ ତଳେ ଭାଇରାଲ୍ ହୋଇଥିବା କିଛି ଭୟାନକ ଭିଡିଓ ସମସ୍ତଙ୍କୁ ଚମକାଇ ଦେଇଥିଲା । ରାଜଧାନୀ ରାସ୍ତାରେ ଖଣ୍ଡା, ଭୁଜାଲି ଆଉ ବନ୍ଧୁକ ଧରି ଉତ୍ପାତ କରୁଥିବା ଅସାମାଜିକ ବ୍ୟକ୍ତିଙ୍କ ସଂଗଠିତ ଅପରାଧ ଉପରେ ବ୍ରେକ୍ ଲାଗିବ । ଉତ୍ତରପ୍ରଦେଶ ଭଳି ଓଡ଼ିଶା ଆଣିବାକୁ ଯାଉଛି ଗୁଣ୍ଡା ବିଲ୍ ।
କଣ ରହିପାରେ ବିଲରେ ?

  • ଅପରାଧରେ ସଂପୃକ୍ତ ବ୍ୟକ୍ତି ବା ଗୋଷ୍ଠୀଙ୍କୁ ୭ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ
  • ଅପରାଧରେ ସାହାଯ୍ୟ କରୁଥିବା ଅଫିସରଙ୍କ ବିରୋଧରେ ବି ହେବ କାର୍ଯ୍ୟାନୁଷ୍ଠାନ
  • ପ୍ରମାଣ ମିଳିଲେ ୩ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ

ଓଡ଼ିଶା ଆଣିବାକୁ ଯାଉଛି ଗୁଣ୍ଡା ଓ ଅସମାଜିକ କାର୍ଯ୍ୟକଳାପ ନିରୋଧ ବିଲ-୨୦୨୧ । ଅପରାଧ ନିୟନ୍ତ୍ରଣ ପାଇଁ ପ୍ରଚଳିତ ଥିବା ଅନେକ ଆଇନକୁ ମିଶାଇ ଏଭଳି ଏକ ଶକ୍ତ ଆଇନ ଆଣିବାକୁ ଚିନ୍ତା କରିଛନ୍ତି ସରକାର ।

ନଜର ପକାନ୍ତୁ, “ଓଡ଼ିଶା ଗୁଣ୍ଡା ଓ ଆଂଟିସୋସିଆଲ ଆକ୍ଟିଭିଟିଜ (ପ୍ରିଭେନସନ୍) ବିଲ-୨୦୨୧’’ କ’ଣ ରହିଛି ଗୁରୁତ୍ୱପୁର୍ଣ୍ଣ ଦିଗ…

ବିଲରେ କଣ ରହିଛି ବ୍ୟବସ୍ଥା?

  • ଲୋକଙ୍କ ଭିତରେ ଭୟ ଓ ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତି ଓ ଗୋଷ୍ଠୀଙ୍କ କାର୍ଯ୍ୟକୁ ଆଣ୍ଟିସୋସିଆଲ କାର୍ଯ୍ୟକଳାପ କୁହାଯିବ
  • ସାଧାରଣ ଲୋକଙ୍କ ସମ୍ପତ୍ତି ବା ସର୍ବସାଧାରଣ ସଂପତ୍ତି ନଷ୍ଟ ହେବାର ଆଶଙ୍କା ଥିଲେ ଏହା ଅଧୀନକୁ ଆସିବ
  • ଭୟ ପ୍ରଦର୍ଶନ କରି ଟଙ୍କା ବା ସମ୍ପତ୍ତି ଆଦାୟ କରିବାକୁ ଚେଷ୍ଟା କରୁଥିବେ ଓ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବେ ତାଙ୍କୁ ଗୁଣ୍ଡା କୁହାଯିବ
  • ମାମଲା ପରିଚାଳନା ପାଇଁ ସରକାର ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବେ
  • କ୍ୟାମେରାରେ ବିଚାର ପ୍ରକ୍ରିୟାର ଶୁଣାଣି ହେବ
  • ଦରକାର ପଡ଼ିିଲେ ସାକ୍ଷୀମାନଙ୍କର ନାମକୁ କୋର୍ଟ ରାୟରେ ଗୋପନ ରଖାଯିବ

ଗୁଣ୍ଡା ଆଇନରେ ଦୋଷୀ ସାବ୍ୟସ୍ତ ହେଉଥିବା ଅସାମାଜିକ ବ୍ୟକ୍ତି ଓ ଏମାନଙ୍କୁ ପ୍ରଶ୍ରୟ ଦେଉଥିବା ଅଧିକାରୀ ମଧ୍ୟ ଏହି ବିଲ୍ରେ ଥିବା ଦଣ୍ଡବିଧାନ ବ୍ୟବସ୍ଥାରୁ ବର୍ତିବେ ନାହିଁ । ଆବଶ୍ୟକ ସ୍ଥଳେ ଏମାନଙ୍କୁ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । ଏନସିଆରବି ତଥ୍ୟ ଅନୁସାରେ ୨୦୧୬ରେ ଓଡ଼ିଶାରେ ଅପରାଧ ସଂଖ୍ୟା ୮୧ ହଜାର ୪୬୦ ଥିବା ବେଳେ ୨୦୨୦ରେ ଏହା ୧ ଲକ୍ଷ ୩୪ ହଜାରରେ ପହଁଚିଯାଇଛି । ଏହି ବିଲ ଅସମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ କେତେ ସକ୍ଷମ ହେଉଛି ତାହା ଉପରେ ନଜର ।