ନୂଆ ଲେବର କୋଡ ଲାଗୁ କରିବାକୁ ୨୩ ରାଜ୍ୟ ପ୍ରସ୍ତୁତ, ବାକି ରାଜ୍ୟମାନଙ୍କର ସହମତି ପରେ ସପ୍ତାହକୁ ମିଳିବ ୩ ଦିନ ଛୁଟି

472

କନକ ବ୍ୟୁରୋ : କେନ୍ଦ୍ର ସରକାର ଜୁଲାଇ ପହିଲାରୁ ଦେଶରେ ନୂଆ ଶ୍ରମ କୋଡ ଲାଗୁ କରିବାକୁ ପ୍ରସ୍ତୁତ ହୋଇଥିଲେ । ହେଲେ କିଛି ରାଜ୍ୟ ସରକାର ଏନେଇ ସ୍ପଷ୍ଟତା ଦେଖାଇ ନଥିବାରୁ ଏହା ଲାଗୁ ହୋଇପାରି ନାହିଁ । ଏନେଇ ଏପର୍ଯ୍ୟନ୍ତ ୨୩ ଟି ରାଜ୍ୟ ନୂଆ ଲେବର କୋଡ ଆଇନର ପ୍ରି ପବ୍ଲିସଡ ଡ୍ରାଫ୍ଟ ଆପଣାଇଛନ୍ତି । ମାତ୍ର ବାକି ରାଜ୍ୟମାନେ ଏପର୍ଯ୍ୟନ୍ତ ପ୍ରି ପବ୍ଲିସଡ ଡ୍ରାଫ୍ଟକୁ ଆପଣାଇ ନାହିାଁନ୍ତି । କେନ୍ଦ୍ର ସରକାର ଚାହୁଁଛନ୍ତି କି ନୂଆ ଲେବର କୋଡକୁ ସମସ୍ତ ରାଜ୍ୟମାନେ ଏକା ସାଥିରେ ଲାଗୁ କରନ୍ତୁ । ଏହି ନୂଆ ଲେବର କୋଡ ଲାଗୁହେଲେ ଚାକିରିଆମାନଙ୍କ ପାଇଁ ମୁଖ୍ୟତ ୪ ଟି ପରିବର୍ତ୍ତନ ହେବ ।

ନୂଆ ଲେବର କୋଡ ଲାଗୁହେଲେ ସମସ୍ତ କର୍ମଚାରୀଙ୍କୁ ସପ୍ତାହକୁ ୪ ଦିନ କର୍ଯ୍ୟଦିବସ ଓ ୩ ଦିନ ଛୁଟି ମିଳିବ । ହେଲେ କର୍ମଚାରୀମାନେ ଆଉ ୮ କି ୯ ଘଣ୍ଟା ନୁହେଁ ବରଂ ପ୍ରତି କାର୍ଯ୍ୟଦିବସରେ ୧୨ ଘଂଟା କାମ କରିବାକୁ ପଡିବ । ସେପଟେ ଏହି ନିୟମ ଲାଗୁ ହେବା ପରେ କର୍ମଚାରୀମାନଙ୍କ ହାତକୁ କମ୍ ଦରମା ଆସିବ । ଏହି ନିୟମ ଲାଗୁହେଲେ କର୍ମଚାରୀଙ୍କ ମୂଳ ଦରମା ସେମାନଙ୍କ ମୋଟ ଦରମାର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଆବଶ୍ୟକ । ସେପଟେ ବେସିକ୍ ସାଲାରୀ ବା ମୂଳ ଦରମା ବଢିଲେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଖାତାରେ ଅଧିକ ଟଙ୍କା ଜମା ହେବ ଫଳରେ ସେମାନଙ୍କ ହାତକୁ ଆସୁଥିବା ଦରମା କମିଯିବ ।

ସେପଟେ ଏହି ନିୟମ ଲାଗୁହେବା ପରେ ଆପଣଙ୍କ ଛୁଟି ଉପରେ ବି ପ୍ରଭାବ ପଡିବ । ଏବେ ଯଦି ଆପଣ କାର୍ଯ୍ୟାଳୟରୁ ଲମ୍ବା ଛୁଟି ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଗୋଟିଏ ବର୍ଷରେ ସର୍ବନିମ୍ନ ୨୪୦ ଦିନ କାମ କରିଥିବା ଆବଶ୍ୟକ । ହେଲେ ନୂଆ ନିୟମରେ ଏହା ଉପରେ କୋହଳ କରାଯାଇଛି । ଜଣେ କର୍ମଚାରୀ ଗୋଟିଏ ବର୍ଷରେ ୧୮୦ ଦିନ କାମ କରିଥିଲେ ସେ ଲମ୍ବାଛୁଟି ପାଇଁ ଆବେଦନ କରିପାରିବେ ।