ଟିମ୍ ଇଣ୍ଡିଆର ନୂଆ ଜର୍ସିର ଫଟୋ ସେୟାର କଲା ବିସିସିଆଇ । ଇଂଲଣ୍ଡ ବିପକ୍ଷରେ କମଳା ରଙ୍ଗର ଜର୍ସିରେ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ ।

508

କନକ ବ୍ୟୁରୋ : କମଳା ରଙ୍ଗର ଜର୍ସି ପିନ୍ଧିବେ କମାଲ କରିବେ ବିରାଟ ବାହିନୀ । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନୂଆ ଜର୍ସିରେ ନଜର ଆସିବେ କୋହଲି ଆଣ୍ଡ କୋ । ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆର ନୂଆ ଜର୍ସିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ବିସିସିଆଇ ନିଜ ଅଫିସିଆଲ ଟ୍ୱିଟର ପେଜରେ ଟିମ୍ ଇଣ୍ଡିଆର ନୂଆ ଜର୍ସିର ଫଟୋ ସେୟାର କରିଛି । ଏହି ଜର୍ସିର ଡିଜାଇନ ସମାନ ରହିଥିବା ବେଳେ କେବଳ ଏହାର ରଙ୍ଗ ପରିବର୍ତ୍ତନ କରାଯାଇଛି ।

ଏହି ନୂଆ ଜର୍ସିଟି କମଳା ରଙ୍ଗରେ ରଙ୍ଗେଇ ହୋଇଛି । ଏହାର ପଛ ପାଶ୍ୱର୍ ପୂରା କମଳା ରଙ୍ଗ ରହିଥିବା ବେଳେ ସମ୍ମୁଖ ଭାଗ ହାଲକା ବାଇଗଣୀ ରଙ୍ଗ ରହିଛି । ଇଂଲଣ୍ଡ ବିପକ୍ଷରେ ଏହି ଜର୍ସିରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତ ଓ ଇଂଲଣ୍ଡର ଜର୍ସି ପ୍ରାୟତଃ ମିଶି ଯାଉଥିବାରୁ ବିକଳ୍ପ ଜର୍ସି ବାଛିବାକୁ ବସିସିଆଇକୁ କହିଥିଲା ଆଇସିସି । ଆଉ ବିସିସିଆଇ ଏହି ଜର୍ସି ବାଛିଥିଲା । ଯେହେତୁ ଇଂଲଣ୍ଡ ବିଶ୍ୱକପର ଆୟୋଜନ କରୁଛି ତେଣୁ ଆୟୋଜକ ଦଳ ଭାବେ ଇଂଲଣ୍ଡ ଜର୍ସିରେ ପରିବର୍ତ୍ତନ କରାଯିବ ନାହିଁ ।

ଏହାପୂର୍ବରୁ ଏହି ଜର୍ସିକୁ ନେଇ ଦେଶରେ ରାଜନୀତି ଜୋର ଧରିଥିଲା । କଂଗ୍ରେସ ଓ ଅନ୍ୟ କିଛି ଦଳର ନେତା ଏହି ଜର୍ସିକୁ ବିରୋଧ କରିଥିଲେ । ଏପରିକି ଏହି ଜର୍ସି ପଛରେ କେନ୍ଦ୍ର ସରକାରଙ୍କର ହାତ ରହିଥିବା ଅଭିଯୋଗ ଆଣିଥିଲେ କିଛି ରାଜନେତା ।