ଆସନ୍ତା ୨୮ରୁ ଝାରସୁଗୁଡାରୁ ଚେନ୍ନାଇ ଉଡିବ ବିମାନ । ବାଙ୍ଗାଲୋର ଓ ମୁମ୍ବାଇକୁ ବିମାନ ଚଳାଚଳ ଯାତ୍ରା ଅବଧି ବଢିଲା, ଏଣିକି ୪ ସପ୍ତାହରେ ୪ ଦିନ ବଦଳରେ ୬ ଓ ୭ ଦିନ ଯାତ୍ରା କରିବ ବିମାନ ।

126

କନକ ବ୍ୟୁରୋ : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଖୁବଶୀଘ୍ର ଚେନ୍ନାଇକୁ ଚଳାଚଳ କରିବ ବିମାନ । ଚଳିତ ମାସ ୨୮ ତାରିଖରୁ ବିମାନ ଚଳାଚଳ କରିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଏହାସହ ବାଙ୍ଗାଲୋରକୁ ସପ୍ତାହରେ ୪ ଦିନ ବଦଳରେ ୬ ଦିନ ଓ ମୁମ୍ବାଇକୁ ୪ ଦିନ ବଦଳରେ ୭ ଦିନ ବିମାନ ଚଳାଚଳ କରିବ । ଅନ୍ୟପଟେ ଦିନକୁ ଦିନ ଝାରସୁଗୁଡା ବିମାନ ବନ୍ଦରରେ ବିମାନ ସଂଖ୍ୟା ବଢିବା ସହ ଯାତ୍ରୀଙ୍କ ସଂଖ୍ୟା ବି ବଢୁଛି । କିନ୍ତୁ ବିମାନ ବନ୍ଦରରେ ମାତ୍ର ୨ଟି ପାର୍କିଂ ପ୍ଲେସ ରହିଛି । ତେବେ ଅଧିକାଂଶ ବିମାନ ଚଳାଚଳର ସମୟ ଅପରାହ୍ନରେ ଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଯିବାର ଆଶଙ୍କା ରହିଛି । ତେଣୁ ବିମାନ ବନ୍ଦର ସମ୍ପ୍ରସାରଣ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରହିଥିବା ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

ଝାରସୁ୍ଗୁଡାରୁ ଚେନ୍ନାଇ ଉଡିବ ବିମାନ । ମୁମ୍ବାଇ-ବାଙ୍ଗାଲୋରକୁ ବିମାନ ସେବା ଆରମ୍ଭ ହେବାର ୨ ମାସ ପରେ ଚେନ୍ନାଇକୁ ବିମାନ ସେବା ପାଇଁ ମିଳିଲା ଅନୁମତି । ମାର୍ଚ୍ଚ ୨୮ରୁ ବୀର ସୁରନ୍ଦ୍ରେ ସାଏ ବିମାନ ବନ୍ଦରରୁ ଚେନ୍ନାଇକୁ ବିମାନ ଉଡିବ । ମୁମ୍ବାଇ ଓ ବାଙ୍ଗାଲୋରକୁ ବିମାନ ସେବାର ସଫଳତା ଦେଖି ଝାରସୁଗୁଡାରୁ ଯାତ୍ରୀ ନେଇ ଚେନ୍ନାଇ ଯିବାକୁ ମନସ୍ତ କରିଛି ସ୍ପାଇସ୍ ଜେଟ । ସ୍ପାଇସ ଜେଟ୍ ବିମାନ ଅପରାହ୍ନ ୧ଟା ୧୦ ମିନିଟରେ ଚେନ୍ନାଇରୁ ବାହାରି ଅପରାହ୍ନ ୩ଟାରେ ଝାରସୁଗୁଡାରେ ପହଞ୍ଚିବ । ସେହିପରି ଅପରାହ୍ନ ସାଢ଼େ ୩ଟାରେ ଝାରସୁଗୁଡାରୁ ବାହାରି ଅପରାହ୍ନ ୫ଟା ୧୫ ମିନିଟରେ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବ ।

ଅନ୍ୟପଟେ ଏଣିକି ଝାରସୁଗୁଡାରୁ ବାଙ୍ଗାଲୋରକୁ ସପ୍ତାହକୁ ୪ ଦିନ ବଦଳରେ ୬ ଦିନ ଇଣ୍ଡିଗୋ ବିମାନ ଚଳାଚଳ କରିବ । ସେହିପରି ମୁମ୍ବାଇକୁ ୪ ଦିନ ବଦଳରେ ୭ ଦିନ ବିମାନ ଉଡିବ । ଏଥିପାଇଁ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ ଝାରସୁଗୁଡା ବିମାନ ବନ୍ଦର ପରିଦର୍ଶନ କରିଛନ୍ତି । ଖୁବଶୀଘ୍ର ଝାରସୁଗୁଡାରୁ ଅହମ୍ମଦାବାଦ, ନାଗପୁର, ପୁଣେ, ଗୌହାଟିକୁ ବି ବିମାନ ଚଳାଚଳ କରିବ ବୋଲି ଆଶା ରଖିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଝାରସୁଗୁଡା ବିମାନ ବନ୍ଦରରେ ଦିନକୁ ଦିନ ବିମାନ ସଂଖ୍ୟା ବଢିବା ସହ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଚଳିତ ବର୍ଷ ଫେବୃଆରୀ ମାସରେ ୩୨ ହଜାର ଯାତ୍ରୀ ଝାରସୁଗୁଡାରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି । ଯାତ୍ରୀଙ୍କ ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ହୋଇଛି । କିନ୍ତୁ ବିମାନ ବନ୍ଦରରେ ବିମାନ ପାର୍କିଂ ପାଇଁ ସ୍ଥାନର ଅଭାବ ରହିଛି । ମାତ୍ର ୨ଟି ପାର୍କି ପ୍ଲେସ୍ ଥିବାରୁ ବିମାନ ରଖିବାରେ ସମସ୍ୟା ହେବା ଆଶଙ୍କା ରହିଛି ।

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉପରେ କେବଳ ପଶ୍ଚିମ ଓଡିଶା ଲୋକେ ନିର୍ଭର କରନ୍ତି ତାହା ନୁହେଁ ପଡୋଶୀ ରାଜ୍ୟ ଛତିଶଗଡ, ଝାରଖଣ୍ଡର ଲୋକେ ମଧ୍ୟ ନିର୍ଭର କରିଥାନ୍ତି । ତେଣୁ ବିମାନ ବନ୍ଦରର ସମ୍ପ୍ରସାରଣ ଜରୁରୀ ବୋଲି କହିଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ।

ଅନ୍ୟପଟେ ବିମାନ ବନ୍ଦରରେ ୬ ପାର୍କିଂ ୱେର ଆବଶ୍ୟକତା ଥିବା ସଂପ୍ରସାରଣ ନେଇ ଉଚ୍ଚ ପଦାଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ । ଝାରସୁଗୁଡାରୁ ନୂତନ ସ୍ଥାନକୁ ବିମାନ ଚଳାଚଳ କଲେ ଜିଲ୍ଲାର ଆର୍ôଥକ ସ୍ଥିତି ଆହୁରି ସୁଦୃଢ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।