ଓଡ଼ିଶାରେ ଆସିବ ନୂଆ କୃଷି ଆଇନ । ରାଜ୍ୟ ଭିତରେ ଯେଉଁଠି ଚାହିଁବ ଫସଲ ବିକ୍ରି କରି ପାରିବ ଚାଷୀ, ଖୁବଶୀଘ୍ର ଅଧ୍ୟାଦେଶ ଆଣିବେ ସରକାର ।
କନକ ବ୍ୟୁରୋ : ଓଡିଶାରେ ଆସିବ ନୂଆ କୃଷି ଆଇନ୍ । ନୂଆ ଆଇନ୍ ଅନୁସାରେ ଚାଷୀ ରାଜ୍ୟ ଭିତରେ ଯେଉଁଠି ଚାହିଁବ, ନିଜ ଧାନ ବିକ୍ରି କରିପାରିବ । ଏନେଇ ଖୁବ୍ ଶୀଘ୍ର ଅଧ୍ୟାଦେଶ ଆଣିବାକୁ ଯାଉଛନ୍ତି ସରକାର । ସେପଟେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବା ସହ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦେଶରେ ହଟଚମଟ ଚାଲିଥିବା ବେଳେ ପ୍ରଚଳିତ କୃଷି ବଜାରର ଢାଞ୍ଚାକୁ ବଦଳାଇବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ପ୍ରତିଦ୍ୱନ୍ଦ୍ୱିିତାମୂଳକ ବଜାର ସୃଷ୍ଟି କରି କୃଷି ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ କୃଷିଜାତ ଦ୍ରବ୍ୟର ବିକ୍ରୟ ଉପରେ ଭୌଗଳିକ ପ୍ରତିବନ୍ଧକ ହଟିବ ଏବଂ ଉତ୍ପାଦକମାନଙ୍କୁ ସେମାନଙ୍କ ଉତ୍ପାଦନକୁ ରାଜ୍ୟର ଯେକୌଣସି ସ୍ଥାନରେ ବିକ୍ରି କରିବାକୁ ଅନୁମତି ମିଳିବ । ଅର୍ଥାତ୍ ଚାଷୀ ତା’ର ଉତ୍ପାଦନକୁ ରାଜ୍ୟର ଯେକୌଣସି ସ୍ଥାନରେ ବିକ୍ରି କରିପାରିବ । କ୍ୟାବିନେଟର ଅନୁମୋଦନ ପରେ ଏ ନେଇ ଖୁବଶୀଘ୍ର ଅର୍ଡିନାନସ ଆଣିବାକୁ ଯାଉଛନ୍ତି ସରକାର ।
କୃଷିଜାତ ଦ୍ରବ୍ୟ ବିକ୍ରି ଉପରେ ବିଭିନ୍ନ କଟକଣା ରହିଛି । ସରଳ ଭାଷାରେ କହିବାକୁ ଗଲେ କଳାହାଣ୍ଡିର ଚାଷୀ ତା’ର ଧାନକୁ ସ୍ୱାଭାବିକ ଭାବେ କଟକରେ ବିକ୍ରି କରିପାରୁନାହିଁ, ବରଗଡ଼ର ଚାଷୀ, ଭୁବନେଶ୍ୱରରେ ତା’ର ଉତ୍ପାଦନକୁ ବିକିବା ନେଇ ସମସ୍ୟାରେ ପଡୁଛି । କେନ୍ଦ୍ରର କୃଷି ଆଇନ ଭଳି କୃଷିଜାତ ଦ୍ରବ୍ୟର ବିକ୍ରୟ ନେଇ ଅଧ୍ୟାଦେଶ ଆଣୁଛନ୍ତି ରାଜ୍ୟ ସରକାର । ନଜର ପକାଇବା ଏହି ପ୍ରସ୍ତାବିତ ଅଧ୍ୟାଦେଶ ରେ କ’ଣ ରହିଛି ।
– ରାଜ୍ୟ ମଧ୍ୟରେ ବଜାରର ବିଭାଜନକୁ ରଦ୍ଦ କରିବା ଅର୍ଥାତ୍ ଗୋଟିଏ ରାଜ୍ୟ ଗୋଟିଏ ବଜାର
– ସମଗ୍ର ରାଜ୍ୟକୁ ଏକ ଏନ୍ଫୋର୍ସମେଂଟ ଏରିଆ ଭାବେ ଘୋଷଣା କରିବା
– ଉନ୍ନତ ବଜାର ପାଇଁ ଗୋଦାମ କିମ୍ବା ଶୀତଳ ଭଣ୍ଡାରକୁ ସଂଗଠିତ କରିବା
– ଇ-ବାଣିଜ୍ୟକୁ ପ୍ରୋତ୍ସାହିତ କରାଯିବ
– ଏକକ ପଏଂଟରେ ବଜାର ଶୁଳ୍କ ଆଦାୟ
– ରାଜ୍ୟବ୍ୟାପୀ ଏକକ ବାଣିଜ୍ୟ ଲାଇସେନ୍ସ ପ୍ରଦାନ
– ରାଜ୍ୟ ବଜାର କମିଟିର ଉନ୍ନତ ପରିଚାଳନା ପାଇଁ କୃଷି ମାର୍କେଟିଂ ସେବା ଗଠନ
ସେପଟେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବା ସହ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରକୁ ଅନୁରୋଧ କରାଯିବ । ରାଜ୍ୟ କ୍ୟାବିନେଟରେ ପୁଣିଥରେ ଏହି ନିଷ୍ପତି ନିଆଯାଇଛି ।