ନୂଆ ବର୍ଷରେ ଆସିପାରେ ନୂଆ ନୋଟ! ଆରବିଆଇ ଆଣିପାରେ ନୂଆ ୨୦ ଟଙ୍କିଆ ନୋଟ

185

କନକ ବ୍ୟୁରୋ : ନୂଆ ବର୍ଷରେ ଆସିବ ନୂଆ ନୋଟ । ଆରବିଆଇର ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ଦାୟିତ୍ୱ ନେବା ପରେ ଖୁବଶୀଘ୍ର ନୂଆ ନୋଟ ଲଞ୍ଚ ହେବାକୁ ଯାଉଛି । ପିଟିଆଇ ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖୁବଶୀଘ୍ର ଲଞ୍ଚ ହୋଇପାରେ ନୂଆ ୨୦ ଟଙ୍କିଆ ନୋଟ୍ । ତେବେ ବଜାରକୁ ଆସିବାକୁ ଥିବା ଏହି ୨୦ ଟଙ୍କିଆ ନୂଆ ନୋଟ ପୁରୁଣା ନୋଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ତେବେ ନୂଆ ନୋଟ ଜାରି କରାଗଲେ ମଧ୍ୟ ପୁରୁଣା ନୋଟର ପ୍ରଚଳନ ମଧ୍ୟ ଜାରି ରହିବ ।

ପୂର୍ବରୁ ୧୦, ୫୦, ୧୦୦, ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ ନୂଆ ରୂପରେ ପ୍ରଚଳନ ହୋଇ ଆସୁଛି । ଆଉ ଏହାଭିତରେ ୨୦ ଟଙ୍କିଆ ନୋଟର ନବକଳେବର କରିବାକୁ ଯୋଜନା କରୁଛି ଆରବିଆଇ । ଆରବିଆଇର ତଥ୍ୟ ମୁତାବିକ ୩୧ ମାର୍ଚ୍ଚ ୨୦୧୬ ପର୍ଯ୍ୟନ୍ତ ଦେଶରେ ୪.୯୨ ବିଲିୟନ ୨୦ ଟଙ୍କିଆ ନୋଟ ପ୍ରଚଳନ ଥିଲା । ୨୦୧୮ରେ ଏହା ବୃଦ୍ଧି ପାଇ ୧୦ ବିଲିୟନରେ ପହଞ୍ଚିଛି । ଏହା ଦେଶରେ ପ୍ରଚଳନ ହେଉଥିବା ମୋଟ ନୋଟ ମୂଲ୍ୟର ୯.୮ ପ୍ରତିଶତ ।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ଦାୟିତ୍ୱ ନେବା ପରେ ନୋଟକୁ ନେଇ ଏହା ସବୁଠୁ ବଡ ନିଷ୍ପତି ହୋଇପାରେ । ତେବେ କେବେ ଏହି ନୂଆ ନୋଟ ବଜାରକୁ ଆସିବ ଓ ଏହାର କଣ ଫିଚର୍ସ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହାପୂର୍ବରୁ ଉର୍ଜିତ ପଟେଲ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିବା ବେଳେ ଅଧିକାଂଶ ନୋଟର ନବକଳେବର ଦେଖିବାକୁ ମିଳିଥିଲା । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଶକ୍ତିକାନ୍ତ ଦାସଙ୍କୁ ଏହି ଦାୟିତ୍ୱ ମିଳିଛି ।