ବଜାରକୁ ଖୁବଶୀଘ୍ର ଆସିବ ନୂଆ ୧୦୦ ଟଙ୍କିଆ ନୋଟ । କିପରି ଜାଣିବେ ଏହା ନକଲି କି ଅସଲି

42

ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ୧୦୦ ଟଙ୍କାର ନୂଆ ନୋଟର ଫଟୋ ଜାରି କରିଛି । ଆସନ୍ତା ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଏହାର ପ୍ରଚଳନ ଆରମ୍ଭ କରିବ ଆରବିଆଇ । ବାଇଗଣୀ ରଙ୍ଗର ଏହି ନୂଆ ନୋଟ ବଜାରକୁ ଆସିବା ପାଇଁ ଆହୁରି କିଛି ଦିନ ବାକି ରହିଛି । କିନ୍ତୁ ଏହା ଆପଣଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଏହାର ସମସ୍ତ ଫିଚର୍ସ ଜାଣି ରଖନ୍ତୁ । ଯାହାଦ୍ୱାରା ଅସଲି ଓ ନକଲି ନୋଟ ମଧ୍ୟରେ ଫରକ ଜାଣି ପାରିବେ । କାରଣ ଏହା ପୂର୍ବରୁ ୫୦୦, ୨୦୦୦ ଓ ୨୦୦ ଟଙ୍କାର ନକଲ ହୋଇ ପାରିବ ନାହିଁ ବୋଲି କୁହାଯାଉଥିଲେ ମଧ୍ୟ ଗତ କିଛି ଦିନ ମଧ୍ୟରେ କୋଟି କୋଟି ନକଲି ୨୦୦୦,୫୦୦ ଓ ୨୦୦ ଟଙ୍କା ନୋଟ ଜବତ କରିଛି ପୋଲିସ । ତେଣୁ ନୂଆ ୧୦୦ ଟଙ୍କିଆ ନୋଟରେ ଥିବା ଫିଚର୍ସ ନ ଜାଣିଲେ ଆପଣ ମଧ୍ୟ ଅସଲି ଓ ନକଲି ନୋଟ ମଧ୍ୟରେ ଫରକ ଜାଣି ପାରିବେ ନାହିଁ ।

କଣ ରହିଛି ଫିଚର୍ସ :
ଆରବିଆଇ ମୁତାବିକ, ନୂଆ ନୋଟର ସାମ୍ନା ପାଶ୍ୱର୍ରେ ଦେବନାଗରୀ ଲିପିରେ ୧୦୦ ଲେଖାଯାଇଛି । ନୋଟର ମଝିରେ ମହାତ୍ମା ଗାନ୍ଧିଙ୍କ ଚିତ୍ର ରହିଛି । ଏହାଛଡା ନୋଟ ଉପରେ ଛୋଟ ଅକ୍ଷରରେ ଆରବିଆଇ, ଭାରତ, ଇଣ୍ଡିଆ ଓ ୧୦୦ ଲେଖାଯାଇଛି । ନକଲି ନୋଟ କାରବାରକୁ ରୋକିବା ପାଇଁ ନୂଆ ନୋଟରେ ଅନେକ ପରିବର୍ତ୍ତନ କରାଯାଇଛି । ଏହାର ଯେପରି ନକଲ ନ ହୋଇ ପାରିବ ସେଥିପାଇଁ ଏଥିରେ ସିକ୍ୟୁରିଟି ଥ୍ରେଡ ଲଗାଯାଇଛି । ଯେଉଁଥିରେ ରଙ୍ଗର ପରିବର୍ତ୍ତନ ହୋଇଥାଏ । ଅଥାର୍ତ ଯେତେବେଳେ ଏହି ନୂଆ ନୋଟକୁ ମୋଡିବେ ଏହାର ଥ୍ରେଡର ରଙ୍ଗ ବାଇଗଣୀରୁ ସବୁଜ ହୋଇଯିବ ।

ସେହିଭଳି ନୋଟର ପଛ ପାଶ୍ୱର୍ରେ ନୋଟ ଛପା ଯାଇଥିବା ବର୍ଷ ଉଲ୍ଲେଖ ରହିବ । ଏହାଛଡା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ଏହାର ପଛରେ ଅଙ୍କିତ ରହିଛି । ନୂଆ ନୋଟରେ ଗୁଜରାଟର ରାଣୀ ବବଙ୍କ ଚିତ୍ର ମଧ୍ୟ ଅଙ୍କିତ ରହିଛି । ଏହାସତ୍ତେ୍ୱ ମଧ୍ୟ ଯଦି ନୂଆ ନୋଟକୁ ନେଇ ସନ୍ଦେହ ଆସେ ତେବେ ଯେକୌଣସି ସମୟରେ ମଧ୍ୟ ଏହାର ଯାଞ୍ଚ କରିପାରିବେ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ paisaboltahai.rbi.org.in ନାମକ ଏକ ପୋର୍ଟାଲ ଲଞ୍ଚ କରିଛି । ଯେଉଁଠି କ୍ଲିକ୍ କରି ଆପଣ ପ୍ରତି ନୋଟର ସତ୍ୟତା ପରଖି ପାରିବେ । କିନ୍ତୁ ଏବେ ପର୍ଯ୍ୟନ୍ତ ନୂଆ ୧୦୦ ଟଙ୍କିଆ ନୋଟ ଏହି ସାଇଟରେ ସ୍ଥାନ ପାଇନାହିଁ । କିନ୍ତୁ ଖୁବଶୀଘ୍ର ଅନ୍ୟ ନୋଟ ଭଳି ଏହି ନୂଆ ନୋଟ ମଧ୍ୟ ଏହି ସାଇଟରେ ସ୍ଥାନ ପାଇବ । ଯେଉଁଠାରେ ଆପଣ ଅତି ସହଜରେ ଅସଲି ଓ ନକଲି ନୋଟ ମଧ୍ୟରେ ଫରକ ଜାଣି ପାରିବେ ।