ହମିଦ୍ ଅନସାରୀଙ୍କ ଜେଲ୍ ଡାଏରୀ ! ଜାଣନ୍ତୁ ପାକିସ୍ତାନର କାଳକୋଠରୀରେ କେମିତି କଟୁଥିଲା ହମିଦଙ୍କ ଦିନ ।

523

କନକ ବ୍ୟୁରୋ : ପ୍ରେମ ପାଇଁ ପାକିସ୍ତାନରେ ବନ୍ଦୀଭାବେ ଜୀବନ ବିତାଇଥିବା ଯୁବକ ହମିଦ ଅନସାରି ଦୀର୍ଘ ୬ବର୍ଷ ପରେ ଭାରତ ଫେରିଛନ୍ତି  । ଆଉ ଜନ୍ମମାଟିରେ ପହଁଚିବା ପରେ ପାକିସ୍ତାନରେ ବିତିଥିବା ଦୁର୍ବିସହ ଜେଲଜୀବନ ସମ୍ପର୍କରେ ସୂଚନା ଦେଇଛନ୍ତି  । ପାକିସ୍ତାନ ଜେଲରେ କିଭଳି ବିତୁଥିଲା କଷ୍ଟଦାୟକ ଦିନରାତି ସୂଚନା ଦେବା ବେଳେ ହମିଦ୍ ଭାବୁକ ହୋଇପଡ଼ିଥିବା ବେଳେ ଜନ୍ମମାଟି ପହଁଚି ଖୁସି ଜାହିର କରିଛନ୍ତି  ।

ଚର୍ଚ୍ଚାରେ ହମିଦ୍ ଅନସାରୀଙ୍କ ଜେଲ୍ ଡାଏରୀ । ପାକ୍ ଜେଲରେ ଦୁର୍ବିସହ ଥିଲା ଜୀବନ । ପାକିସ୍ତାନରୁ ଫେରିଲେ ହମିଦ୍ ନିହାଲ୍ ଅନସାରୀ  । ୬ ବର୍ଷ କାଳ ପାକିସ୍ତାନ ଜେଲର କାଳକୋଠରୀରେ ରହିବା ହମିଦଙ୍କ ଘରବାହୁଡ଼ା ହୋଇଛି ଆଉ ଜନ୍ମମାଟିରେ ପାଦ ରଖିବା ପରେ ସେ ବଖାଣିଛନ୍ତି ପାକିସ୍ତାନ ଜେଲରେ ବିତିଥିବା ତାଙ୍କର ଗୋଟିଏ ଗୋଟିଏ ଦିନର ଅଙ୍ଗେନିଭା ଅନୁଭୂତି  । କିଭଳି ଥିଲା ଅତ୍ୟାଚାରର ସେହି କାହାଣୀ, କିଭଳି ଥିଲା ଦୁର୍ବିସହ ବନ୍ଦୀଜୀବନ ସେ ସମ୍ପର୍କରେ ସୂଚନା ଦେଇଛନ୍ତି ହମିଦ୍ ଅଂସାରୀ  ।

ହମିଦଙ୍କ ଜେଲ୍ ଡାଏରୀ :

– ଫେସବୁକରେ ପ୍ରେମ ହେବା ପରେ ପ୍ରେମିକାକୁ ଜବରଦସ୍ତି ବିବାହରୁ ବଂଚାଇବାକୁ ଆଫଗାନିସ୍ତାନ ବାଟ ଦେଇ ପାକିସ୍ତାନ ଯିବା ମହଙ୍ଗା ପଡ଼ିଲା ଓ ଧୋକା କରି ମତେ ଜେଲରେ ପୁରାଗଲା  ।

– ପେଶାୱର ସେଂଟ୍ରାଲ ଜେଲରେ ଲାଗିଥିବା ଲୁହାର କବାଟ ଝରକାରେ ଟାଟା କମ୍ପାନୀର ଲୋଗୋ ଥିଲା ଯାହାକୁ ଦେଖି ଲାଗୁଥିଲା ମୁଁ ଭାରତରେ ଅଛି ଓ ଏହା ଆଶ୍ୱସ୍ଥି ଦେଉଥିଲା  ।

– ବ୍ୟାଟ୍ ଜରିଆରେ ମଧ୍ୟ ଆକ୍ରମଣ କରାଯାଇପାରେ ତେଣୁ ଜେଲ ଭିତରେ କ୍ରିକେଟ୍ ଖେଳିବା ପାଇଁ ଅନୁମତି ନଥିଲା  । ବାଧ୍ୟ ହୋଇ ଆମେ ଚପଲରେ କ୍ରିକେଟ୍ ଖେଳୁଥିଲୁ  ।

– ସଂପୃକ୍ତ ଯୁବତୀ ଜଣକ କୋର୍ଟରେ ହମିଦ୍ ତାଙ୍କୁ ଭେଟିବାକୁ ପାକିସ୍ତାନ ଆସିଥିବା କହିବା ପରେ ବି ନକଲି ପରିଚୟପତ୍ର ଓ ଅଭିଯୋଗ ସହ ମତେ ୩ ବର୍ଷର ଜେଲଦଣ୍ଡ ଦିଆଯାଇଥିଲା  ।

– ସୋସିଆଲ୍ ମିଡ଼ିଆରେ ସମ୍ପର୍କ ମହଙ୍ଗା ପଡ଼ିପାରେ, ତେଣୁ ପିତାମାତାଙ୍କୁ ମିଛ କହିବା ଉଚିତ ନୁହେଁ ଓ ସବୁବେଳେ ନିଜ ଦେଶର ସରକାର ତଥା ଆଇନ ଉପରେ ଭରସା କରିବା ଦରକାର  ।

କାହାଣୀ ବାସ୍ତବ ଜୀବନର କିନ୍ତୁ ମୋଡ଼ ସିନେମାର ଦୃଶ୍ୟ ପରି  । ଭାରତ ଫେରି ପରିବାରକୁ ଭେଟିବା ଆଶା ନେଇ ଆଜି ହୁଏତ ନାହାନ୍ତି ସରବଜିତ୍ ଆଉ ସଜା କାଟୁଛନ୍ତି କୂଳଭୂଷଣ ଯାଦବଙ୍କ ପରି ଏକାଧିକ ଭାରତୀୟ ବନ୍ଦୀ  । କିନ୍ତୁ ସେଭଳି ଅଜଣା ଭୟ ଓ ଆଶଙ୍କା ଭିତରେ ଘରକୁ ଫେରିଛନ୍ତି ଅନସାରୀ  ।