ଲଣ୍ଡା କଲେ , ମୁଣ୍ଡରେ ଜୟ ଶ୍ରୀରାମ ଲେଖିଲେ : ପ୍ରଭୁ ଶ୍ରୀରାମଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଲେ ନେପାଳ ପ୍ରଧାନମନ୍ତ୍ରୀ , ଭାରତରେ ଶାସ୍ତି ପାଇଲେ ନେପାଳ ଯୁବକ ।

1,194

ଭଗବାନଙ୍କ ପ୍ରତି ଅହେତୁକ ଭକ୍ତିର ଦେଶ ହେଉଛି ଭାରତବର୍ଷ । ଏଭଳି ଆଧ୍ୟାତ୍ମିକଭାବକୁ ଗୁରୁତ୍ୱ ଦେଉଥିବା ଦେଶରେ ଭଗବାନ ଶ୍ରୀରାମ ଏବଂ ରାମମନ୍ଦିରକୁ ନେଇ ବିବାଦୀୟ ବୟାନ ଦେବା ନେପାଳ ପ୍ରଧାନମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି । ଭାରତର ଠାଏଁ ଠାଏଁ କେ.ପି ଶର୍ମା ଓଲିଙ୍କ ପୋଷ୍ଟରକୁ ଜଳାଇବା ସହ ପ୍ରଧାନମନ୍ତ୍ରୀଙ୍କ ପିଣ୍ଡଦାନ କରୁଛନ୍ତି ଲୋକେ । ହେଲେ ବିଡ଼ମ୍ବନାର କଥା ପ୍ରଧାନମନ୍ତ୍ରୀଙ୍କ ଭୁଲର ଦଣ୍ଡ ପାଉଛନ୍ତି ଭାରତରେ ରହୁଥିବା ନେପାଳବାସୀ ।

ସୂଚନା ଅନୁସାରେ , ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ବିଶ୍ୱ ହିନ୍ଦୁ ସେନା ଜଣେ ନେପାଳ ଯୁବକଙ୍କୁ ଲଣ୍ଡା କରିବା ସହ ମୁଣ୍ଡରେ ଜୟ ଶ୍ରୀରାମ ଲେଖିଥିଲେ । ସଂଗଠନ ଉକ୍ତ ଯୁବକଙ୍କୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରାଇବା ସହ ଭାରତର ଜୟ ଜୟକାର କରାଇଥିଲେ । ବିଶ୍ୱ ହିନ୍ଦୁ ସେନାର କିଛି ସଦସ୍ୟ ଏହାର ଭିଡ଼ିଓ କରି ସୋସିଆଲ୍ ମିଡ଼ିଆରେ ମଧ୍ୟ ଭାଇରାଲ୍ କରିଥିଲେ । ଭିଡ଼ିଓ ସାମ୍ନାକୁ ଆସିବା ପରେ ପୋଲିସ୍ ଏବେ ସମ୍ପୃକ୍ତ ସଂଗଠନର ସଦସ୍ୟଙ୍କୁ ଖୋଜାଖୋଜି କରିବାରେ ଲାଗିଛି ।

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ସହ ତାଙ୍କ ଭାରତବଂଶଜ ହେବାରେ ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଦେଇଥିଲେ । ଯେଉଁଥିପାଇଁ ଏହି ବିବାଦ କେବଳ ଜାତୀୟ ସ୍ତରର ନୁହଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଗଲା । ଓଲି ଶ୍ରୀରାମଙ୍କ ଅସ୍ତିତ୍ୱକୁ ନେଇ ନେପାଳ ଭୂମିରେ ଅଭିଷିକ୍ତ କରାଇ ଦେଇଥିଲେ , ଯାହା ଭାରତବାସୀଙ୍କ ଆଧ୍ୟାତ୍ମିକତାକୁ କୁଠାରଘାତ କରିଥିଲା । ତେଣୁ ସିଧାସଳଖ ପ୍ରଧାନମନ୍ତ୍ରୀକୁ ତ ଏବେ ଶାସ୍ତି ଦେଇହେବନି ତେଣୁ ଭାରତରେ ରହୁଥିବା ନେପାଳ ଲୋକଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡ଼ୁଛି । ଭିଡ଼ିଓଟି ଗଙ୍ଗାଘାଟରୁ ଉତ୍ତୋଳନ କରାଯାଇଥିବା ଜଣାପଡୁଛି । ଯେଉଁଥିରେ ପ୍ରଭୁ ଶ୍ରୀରାମ ଭାରତର ନେପାଳର ନୁହଁ ବୋଲି ପୀଡିତ ବ୍ୟକ୍ତି ଜଣକ କହୁଛନ୍ତି ଏବଂ ସଂଗଠନର ଜୟ ଜୟକାର କରୁଛନ୍ତି ।