କନକ ବ୍ୟୁରୋ: ନେପାଳରେ ୭୨ ଯାତ୍ରୀଙ୍କୁ ନେଇ ଯାଉଥିବା ୟତି ଏୟାରଲାଇନ୍ସର ଏଟିଆର୭୨-୫୦୦ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ପରେ ନେପାଳରେ ବାରମ୍ବାର କାହିଁକି ବିମାନ ଦୁର୍ଘଟଣା ହେଉଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ୩୦ ବର୍ଷ ମଧ୍ୟରେ ନେପାଳରେ ୨୮ଟି ବିମାନ ଦୁର୍ଘଟଣା ହୋଇଛି ।

Advertisment

ବିଶେଷଜ୍ଞଙ୍କ କହିବା କଥା କି ଦୁର୍ଗମ ପାହାଡ, ଖରାପ ପାଗ , ପୁରୁଣା ବିମାନ ଓ ଅନୁଭବହୀନ ଚାଳକଙ୍କ ପାଇଁ ଏଭଳି ଦୁର୍ଘଟଣା ଘଟୁଛି । ନେପାଳ ବିମାନ ଚଳାଚଳ ମନ୍ତ୍ରଣାଳୟ ୨୦୧୯ରେ ଦେଇଥିବା ଏକ ରିପୋର୍ଟ ମୁତାବକ ନେପାଳର ବିମାନ ଦୁର୍ଘଟଣା ପାଇଁ ମୁଖ୍ୟତ ପାହାଡ ଦାୟୀ ।

ଆଜି ନେପାଳରେ ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ୪୦ ବର୍ଷ ତଳର ପୁରୁଣା ବିମାନ । ଏହି ମଡେଲର ବିମାନ ପ୍ରଥମେ ୧୯୮୧ ମସିହାରେ ନିର୍ମାଣ ହୋଇଥିଲା । ଏହାପରେ ୧୦୦ରୁ ଅଧିକ ଦେଶ ଏହି ମଡେଲର ୨୦୦ ବିମାନ ନିଜ ଏୟାରଲାଇନ୍ସରେ ସାମିଲ କରିଥିଲେ । ଏହି ମଡେଲର ବିମାନକୁ ଫ୍ରେଞ୍ଚ କମ୍ପାନୀର ଏୟାରବସ ଓ ଇଟାଲିୟନ ଏଭିଏସନ କମ୍ପାନୀ ଲିୟୋନାଦୋ ମିଳତ ଭାବେ ପ୍ରସ୍ତୁତ କରିଥିଲେ ।
ସେପଟେ ନେପାଳରେ ବିମାନ ଉଡାଇବା କାହିଁକି ବିପଦପୂର୍ଣ୍ଣ । ଏହାର ଅନେକ କାରଣ ରହିଛି ନେପାଳର ପ୍ରାକୃତିକ ପାହାଡ, ନିୟମରେ କୋହଳ, ନୂଆ ବିମାନର ଅଭାବ ବୋଲି କୁହାଯାଉଛି । ନେପାଳରେ ୩ କୋଟି ଲୋକ ରହୁଥିବା ବେଳେ ଏଠାରେ ବିଶ୍ୱର ୧୪ଟି ବଡ ପାହାଡ ମଧ୍ୟରୁ ମାଉଣ୍ଟଏଭରେଷ୍ଟ ରହିଛି । ଏହି କାରଣରୁ ନେପାଳର ପୂର୍ବ ଦିଗରେ ଥିବା ଲୁକଲା ଶହର ବିମାନ ବନ୍ଦରକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ବିମାନ ବନ୍ଦର କୁହାଯାଇଥାଏ । ଏହି ବିମାନବନ୍ଦର ଏଭରେଷ୍ଟର ଦ୍ୱାରଦେଶରେ ରହିଛି ।

ଉଚ୍ଚ ପାହାଡ ବ୍ୟତୀତ ନେପାଳରେ ବିମାନର ଦୁର୍ଘଟଣା ହେବାର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି ପାଗ ପରିବର୍ତ୍ତନ । କାରଣ ପାହାଡରେ ଖୁବ ସମୟ ମଧ୍ୟରେ ପାଗର ପରିବର୍ତନ ହୋଇଥାଏ । କ୍ଷଣ କ୍ଷଣରେ ବଦଳୁଥିବା ପାଗ କାରଣରୁ ପାଇଲଟଙ୍କୁ ଦିଗ ନିର୍ଣ୍ଣୟ କରିବାରେ ଅସୁବିଧା ହୋଇଥାଏ । ସେପଟେ ବରଫ ପଡୁଥିବା କାରଣରୁ ରନୱେ ବଡ ବିପଦସଂକୁଳ ଅବସ୍ଥାରେ ରହିଥାଏ ।

ସେପଟେ ଯଦି ନେପାଳରେ ହୋଇଥିବା ବିମାନ ଦୁର୍ଘଟଣାର ଇତିହାସ ଦେଖିବା ତେବେ ୨୦୧୯ରେ ଡାୟନେଷ୍ଟି କମ୍ପାନୀର ଏକ ହେଲିକପ୍ଟର ପାହାଡରେ ପିଟି ହେବାରୁ ୭ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ୨୦୧୮ ମାର୍ଚ୍ଚ ମାସରେ ୟୁଏସ-ବାଂଗଲା ଏୟାର ଲାଇନନ୍ସର ଏକ ବିମାନ ତ୍ରିଭୁବନ ଆନ୍ତର୍ଜାତୀୟ ବିମାନ ବନ୍ଦରେ ଓହ୍ଲାଉଥିବା ବେଳେ ଦୁର୍ଘଟଣାରେ ଶିକାର ହେବାରୁ ୫୧ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।

୨୦୧୬ ଫେବୃଆରୀ ମାସରେ ପୋଖରା ରୁ ଜୋମସନ ଯିବାକୁ ଏକ ବିମାନ ଉଡାଣ ଭରିବାର ୮ମିନିଟ ମଧ୍ୟରେ ନିଖୋଜ ହୋଇଯାଇଥିଲା । ଏଥିରେ ଥିବା ୨୩ ଜଣଙ୍କର କୌଣସି ଖୋଜଖବର ମିଳିନଥିଲା । ୨୦୧୨ ମସିହାରେ ସୀତା ଏୟାର ଫ୍ଲାଇଟର ଏକ ବିମାନ ଦୁର୍ଘଟଣାରେ ଶିକାର ହେବା ଫଳରେ ୧୯ଜଣ ଯାତ୍ରୀଙ୍କର ଜୀବନ ଯାଇଥିଲା । ସେହିଭଳି ୨୦୧୨ ପ୍ରାରମ୍ଭରେ ଏକ ଘରୋଇବିମାନ ଜରୁରୀକାଳୀନ ଅବତରଣ କରୁଥିବା ବେଳେ କାଠମାଣ୍ଡୁରେ ଦୁର୍ଘଟଣା ହୋଇଥିଲା । ଏଥିରେ ୧୫ଜଣଙ୍କର ମୃତ୍ୟୁ ହୋଇଥିଲା ।

୨୦୨୧ ସେପ୍ଟେ୍ମ୍ବର ୨୫ ତାରିଖରେ ବୁଦ୍ଧା ଏୟାରର ଏକ ବିମାନ ଲଲିତପୁରରେ ଦୁର୍ଘଟଣା ହୋଇଥିଲା । ଏଥିରେ ଥିବା ମୋଟ ୨୨ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ୧୦ ଜଣ ଭାରତୀୟ ଥିଲେ । ଅନ୍ୟପଟେ ୨୦୧୦ ମସିହାରେ ତାରା ଏୟାରଲାଇନ୍ସର ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୩ଜଣ ଚାଳକଙ୍କ ସହ ମୋଟ ୨୨ଜଣ ମୃତ୍ୟୁବରଣ କରିଥିଲେ । ସେହିବର୍ଷ ଆଉଏକ ବିମାନ ଦୁର୍ଘଟଣାରେ ୧୪ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

୧୯୯୨ ମସିହା ଜୁଲାଇ ମାସରେ ନେପାଳରେ ସବୁଠାରୁ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ କାଠମାଣ୍ଡୁ ବିମାନବନ୍ଦରରେ କ୍ରାସ ହୋଇଯାଇଥିଲା । ଏଥିରେ ଥିବା ମୋଟ ୧୬୭ଜଣଙ୍କର ମୃତ୍ୟୁ ହୋଇଥିଲା ।