କନକ ବ୍ୟୁରୋ: ନେପାଳର ପୋଖରାରେ ରବିବାର ଭୟଙ୍କର ବିମାନ ଦୁର୍ଘଟଣା ଘଟିଯାଇଛି । ଏହି ବିମାନ ଦୁର୍ଘଟଣାରେ ୬୮ ଜଣ ଯାତ୍ରୀଙ୍କ ସହ ୪ ଜଣ କ୍ରୁ ମେମ୍ବର ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ୟତି ଏୟାରଲାଇନ୍ସ ଏଟିଆର-୭୨ ଫ୍ଲାଇଟ୍ ଏୟାରପୋର୍ଟରେ ପହଞ୍ଚିବାର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ହିଁ କ୍ରାସ୍ କରିଯାଇଛି । ମିଳିଥିବା ସୂଚନା ମୁତାବକ, ଏହି ପୋଖରା ଏୟାରପୋର୍ଟର ଉଦଘାଟନ୍ ୧୪ ଦିନ ପୂର୍ବରୁ ହିଁ ହୋଇଥିଲା ।

Advertisment

୧୪ ଦିନ ପୂର୍ବରୁ ହେଇଥିଲା ଏୟାରପୋର୍ଟ ଉଦଘାଟନ୍

ନେପାଳର ପୋଖରା ଏୟାରପୋର୍ଟକୁ ଚୀନର ସାହାଯ୍ୟରେ ନିର୍ମାଣ କରାଯାଇଥିଲା । ଚୀନର ଏକ୍ଜିମ ବ୍ୟାଙ୍କ୍ ଏହି ବିମାନବନ୍ଦରର ନିର୍ମାଣ ପାଇଁ ନେପାଳକୁ ଲୋନ୍ ଦେଇଥିଲା । ବିମାନବନ୍ଦରର ନିର୍ମାଣ ପରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଜାନୁଆରୀ ମାସରେ ହିଁ ଏହାର ଉଦଘାଟନ କରିଥିଲେ । ଏହା ସହିତ ଆଉ ଏକ ସୂଚନା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ମୁତାବକ ଯେଉଁ ବିମାନ ଟି ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି, ବିମାନବନ୍ଦର ଉଦଘାଟନ ହେବା ଦିନ ହିଁ ଏହି ବିମାନର ଡେମୋ ଫ୍ଲାଇ କରାଯାଇଥିଲା ।

କାହିଁକି ନିଷ୍ପତ୍ତି ବଦଳାଇଲେ ପାଇଲଟ୍?

ପୋଖରା ଏୟାରପୋର୍ଟ ଅଥରିଟିଙ୍କ କହିବା କଥା, ୟତି ଏୟାରଲାଇନ୍ସ ବିମାନ ରନୱେରୁ ମାତ୍ର ୧୦ ସେକେଣ୍ଡ ଦୂରରେ ଥିଲା । ଏହି ସମୟରେ ହିଁ ପ୍ଲେନଟି କ୍ରାସ୍ କରିଯାଇଥିଲା । ଏଟିସି କର୍ମଚାରୀଙ୍କ କହିବା ମୁତାବକ, ପୋଖରାର ରନୱେ ପୂର୍ବ-ପଶ୍ଚିମ ଦିଗରେ ନିର୍ମାଣ କରାଯାଇଛି । ବିମାନର ପାଇଲଟ ପ୍ରଥମ ପୂର୍ବ ଦିଗରୁ ଲ୍ୟାଣ୍ଡିଂ କରିବାକୁ ଅନୁମତି ମାଗିଥିଲେ । ଏଥିପାଇଁ ତାଙ୍କୁ ଅନୁମତି ମଧ୍ୟ ମିଳିସାରିଥିଲା । ହେଲେ ପାଇଲଟ କିଛି ସମୟ ପରେ ହିଁ ପଶ୍ଚିମ ଦିଗରୁ ଲ୍ୟାଣ୍ଡିଂ କରିବାକୁ ପରମିଶନ୍ ମାଗିଥିଲେ ଆଉ ତାଙ୍କୁ ଦ୍ୱିତୀୟ ଥର ପାଇଁ ମଧ୍ୟ ଅନୁମତି ମିଳିଥିଲା । ବେସାମରିକ ବିମାନ ଚଳାଚଳ ଅଥୋରିଟିଙ୍କ କହିବା କଥା ଲ୍ୟାଣ୍ଡିଂର ଠିକ୍ ପୂର୍ବରୁ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହିତ କ୍ରାସ୍ କରିଥିଲା ।

ସମସ୍ତ ୭୨ ଜଣଙ୍କର ମୃତ୍ୟୁ 

ନେପାଳରେ ଏହି ଭୟଙ୍କର ବିମାନ ଦୁର୍ଘଟଣା ପରେ କାଠମାଣ୍ଡୁରେ ମନ୍ତ୍ରୀପରିଷଦର ଜରୁରୀ ବୈଠକ ଡକାଯାଇଛି । କୁହାଯାଉଛି, ଏହି ବୈଠକରେ କାହିଁକି ଦୁର୍ଘଟଣା ହେଲା ଏବଂ ଏହା ପଛର କାରଣ କଣ ସେନେଇ ସୂଚନା ଏକାଠି କରାଯାଉଛି । ମିଳିଥିବା ସୂଚନା ମୁତାବକ, ୟତି ଏୟାରଲାଇନ୍ସର ଏଟିଆର-୭୨ ବିମାନ କାଠମାଣ୍ଡୁରୁ ପୋଖରା ପାଇଁ ଉଡାଣ ଭରିଥିଲା । ୭୨ ସିଟ୍ ସଂଖ୍ୟକ ଏହି ବିମାନରେ ୬୮ ଜଣ ଯାତ୍ରୀଙ୍କ ସହ ୪ ଜଣ କ୍ରୁ-ମେମ୍ବର ସାମିଲ ଥିଲେ । ତେବେ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ସହ କ୍ରୁ-ମେମ୍ବର ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ଭିତରେ ୫ ଜଣ ଭାରତୀୟ, ୪ ଜଣ ଋଷୀୟ, ୨ ଜଣ ଆଫ୍ରିକୀୟ, ଜଣେ ଆର୍ୟଲ୍ୟାଣ୍ଡ, ଜଣେ ଆର୍ଜେଣ୍ଟିନା ଏବଂ ଜଣେ ଫ୍ରାନ୍ସର ନାଗରିକ ମଧ୍ୟ ଅଛନ୍ତି ।

ଅନ୍ୟପଟେ ନେପାଳ ସେନା, ସଶସ୍ତ୍ର ପୋଲିସ, ନେପାଳ ପୋଲିସ ଏବଂ ସ୍ଥାନୀୟ ନାଗରିକ ମିଶି ଦୁର୍ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ୍ ଚଲାଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ୪୦ ଜଣ ଯାତ୍ରୀଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ, ଅନ୍ୟ ଯାତ୍ରୀଙ୍କ ଶବ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି ।