କନକ ବ୍ୟୁରୋ: ନେପାଳ ବିମାନ ଦୁର୍ଘଟଣାରେ ୭୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ୬୮ ଜଣ ଯାତ୍ରୀଙ୍କ ସହିତ ୪ ଜଣ କ୍ରୁ-ମେମ୍ବର ଏହି ଦୁର୍ଘଟଣାରେ ଆଖି ବୁଜିଛନ୍ତି । ଯାହାକି ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଛି । ତେବେ ଏହାରି ଭିତରେ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଫ୍ଲାଇଟ୍ ଭିତରେ ରହି ଫେସବୁକ୍ ଲାଇଭ୍ କରୁଥିବା ଦେଖିବାକୁ ମିଳୁଛି । ତେବେ ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ, ଅନେକଙ୍କ ମନରେ କିଛି ପ୍ରଶ୍ନ ସୃଷ୍ଟି ହେଉଛି...

Advertisment

ବିମାନରେ ଚାଲିପାରିବ କି ଇଣ୍ଟରନେଟ୍?

ନିୟମ ମୁତାବକ, ବିମାନରେ ଯିବା ଆସିବା ସମୟରେ ଫୋନକୁ ଏରୋପ୍ଲେନ୍ ମୋଡରେ ରଖିବା ଆବଶ୍ୟକ । ଏପରି ସ୍ଥିତିରେ ସେହି ବ୍ୟକ୍ତି ଜଣକ କିପରି ଫେସବୁକ୍ ଲାଇଭ୍ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ କିଛି ଲୋକଙ୍କ କହିବା କଥା, ବିମାନ ଭିତରେ ଥିବା ୱାଇ-ଫାଇକୁ ବ୍ୟବହାର କରି ବ୍ୟକ୍ତି ଜଣକ ଫେସବୁକ୍ ଲାଇଭ୍ କରିଥାଇପାରନ୍ତି । ଅଥବା ପ୍ଲେନଟି ଲ୍ୟାଣ୍ଡିଂ କରିବାକୁ ଥିବାରୁ ତାଙ୍କ ଫୋନରେ ନେଟୱାର୍କ ଆସିଯାଇଥିବା ନେଇ ଅନ୍ୟ କିଛି ବିଶେଷଜ୍ଞ ଅନୁମାନ କରୁଛନ୍ତି ।

କେଉଁଠୁ ମିଳିଲା ଏହି ଭିଡିଓ?

ଭିଡିଓରେ ବ୍ୟକ୍ତିଜଣକ ଫେସବୁକ୍ ଲାଇଭ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହିତ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟୁଛି । ତେବେ ପ୍ରଶ୍ନ ଉଠୁଛି, ଏହି ଭିଡିଓଟି କେଉଁଠୁ ମିଳିଲା? ମିଳିଥିବା ସୂଚନା ମୁତାବକ, କିଛି ଲୋକ ଏହାକୁ ଫେସବୁକ୍ ଲାଇଭର ରେକର୍ଡ କହୁଥିବାବେଳେ, ଅନ୍ୟ କିଛି ଲୋକ ଏହାକୁ ଫେସବୁକରୁ ସଂଗ୍ରହ କରାଯାଇଛି ବୋଲି ମତ ରଖୁଛନ୍ତି । ହେଲେ ଫେସବୁକ୍ ଲାଇଭ୍ ପରେ ଏହି ଭିଡିଓଟି ସେୟାର କରାଯାଇନଥିବାରୁ, ଏହି ଭିଡିଓଟି କେଉଁଠୁ ସଂଗୃହୀତ ହେଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଫୋନ୍ ଫ୍ଲାଇଟ୍ ମୋଡରେ ନରଖିବା କେତେ ବିପଦଜନକ?

ବିମାନରେ ଯିବା ସମୟରେ ଫୋନକୁ ସ୍ୱିଚ୍ ଅଫ୍ କିମ୍ବା ଏରୋପ୍ଲେନ୍ ମୋଡରେ ରଖିବାକୁ ସବୁବେଳେ ଘୋଷଣା କରାଯାଇଥାଏ । ହେଲେ ଏହି ଗାଇଡଲାଇନକୁ କିଛି ଲୋକ ନମାନିବା ମଧ୍ୟ ଦେଖିବାକୁ ମିଳେ । ତେବେ ଏହି ନିୟମ ନମାନିବା ବିପଦଜନକ କି ନୁହେଁ, ଆପଣ ଜାଣିଛନ୍ତି କି?

ଅସଲ କଥା ହେଉଛି, ବିମାନରେ ଫୋନ୍ ଏରୋପ୍ଲେନ୍ ମୋଡରେ ନରହିଲେ ବି କିଛି ଦୁର୍ଘଟଣା ଘଟେ ନାହିଁ । ହେଲେ ସୁରକ୍ଷାଗତ କାରଣରୁ ଲୋକଙ୍କୁ ଫୋନ୍ ଏରୋପ୍ଲେନ୍ ମୋଡରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥାଏ । ଫୋନ୍ ସିଗନାଲ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଇଣ୍ଟରଫରେନ୍ସ କରିପାରେ, ଯାହାକି ବିପଦଜନକ । ଏପରି ସ୍ଥିତିକୁ ଆଖି ଆଗରେ ରଖି ଫୋନ୍ ସ୍ୱିଚ୍ ଅଫ୍ କିମ୍ବା ଏରୋପ୍ଲେନ୍ ମୋଡରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥାଏ ।