କନକ ବ୍ୟୁରୋ : ନେପାଳ ପୋଖରା ବିମାନ ବନ୍ଦର ଦୁର୍ଘଟଣାର ଶିକାର ହୋଇଥିବା ୟେଟି ବିମାନଟି ବହୁ ପୁରୁଣା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଟ୍ୱେଂଟି ଫର ଅନୁଯାୟୀ, ୟେଟି ଏୟାରଲାଇନ୍ସର ବିମାନ ୧୫ ବର୍ଷ ପୁରୁଣା ଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିମାନଟି ଏକ ପୁରୁଣା ଟ୍ରାନ୍ସପଣ୍ଡର ସହିତ ଚାଲିଥିଲା । ଗତକାଲି ପୋଖରା ବିମାନ ବନ୍ଦରରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୭୨ ଜଣ । ଯେଉଁଥିରେ ୫ ଜଣ ଭାରତୀୟ ଥିଲେ । ଏଥିମଧ୍ୟରୁ ୪ ଜଣ ଉତ୍ତରପ୍ରଦେଶର ଗାଜୀପୁର ଜିଲ୍ଲାର ।

Advertisment

ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନେପାଳରେ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି । ଏହି ବିମାନ ଦୁର୍ଘଟଣା ଗତ ୩୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଦୁର୍ଘଟଣା ମଧ୍ୟରୁ ଗୋଟିଏ । ଚୀନ ସହାୟତାରେ ତିଆରି ହୋଇଥିବା ଏହି ବିମାନ ବନ୍ଦର ଜାନୁଆରୀ ୧ରେ ଉଦଘାଟନ ହୋଇଥିଲା । ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏହି ବିମାନ ବନ୍ଦରର ଉଦଘାଟନ କରିଥିଲେ । କୁହାଯାଉଛି ୧୪ ଦିନ ପୂର୍ବରୁ ଏହି ବିମାନ ବନ୍ଦରର ଉଦଘାଟନ ହୋଇଥିଲା । ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ କହିଥିଲେ ଏହି ବିମାନ ବନ୍ଦର ଜରିଆରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ।