କ୍ରେଜିୱାଲଙ୍କ ବଡ ବୟାନ, ମୋଦି କିମ୍ବା ରାହୁଲ ନୁହେଁ । ଦେଶର ପ୍ରଧାନମନ୍ତ୍ରୀ ଅନ୍ୟ କେହି ହୋଇପାରନ୍ତି

299

ନା ମୋଦି, ନା ରାହୁଲ । ଦେଶର ପ୍ରଧାନମନ୍ତ୍ରୀ ଆସନରେ ଅନ୍ୟ କେହି ବସିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ଏଭଳି ଏକ ବୟାନ ଦେଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି । ଆପ୍ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ଚର୍ଚ୍ଚା ଜୋର ଧରିଥିବା ବେଳେ ଏଭଳି ବୟାନ ରଖିଛନ୍ତି ଅରବିନ୍ଦ କ୍ରେଜିୱାଲ । ତେବେ ଦୁଇ ଦଳ ପକ୍ଷରୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି ।

ଦିଲ୍ଲୀର ଏକ ରାଲିରେ ମୋଦିଙ୍କ ଉପରେ ବର୍ଷିଛନ୍ତି କ୍ରେଜିୱାଲ । ଦେଶକୁ ବଞ୍ଚାଇବାକୁ ହେଲେ ମୋଦି ଓ ଅମିତ ଶାହାଙ୍କ ଯୋଡିକୁ ହରାଇବାକୁ ପଡିବ । ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ବାଛିବା ନୁହେଁ ବରଂ ମୋଦି ଓ ଅମିତଙ୍କୁ ହରାଇବା ପାଇଁ ହେବା ଦରକାର । ଶାହା ଓ ମୋଦି ଯୋଡି ଧର୍ମ ଓ ଜାତି ଆଧାରରେ ଲୋକଙ୍କୁ ଲଢାଉଛନ୍ତି ।

କ୍ରେଜିୱାଲଙ୍କ ପ୍ରଧାନମନ୍ତ୍ରୀ ଉପାଖ୍ୟାନ ସାମ୍ନାକୁ ଆସିବା ପରେ ତୃତୀୟ ସାମ୍ମୁଖ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାପୂର୍ବରୁ କୋଲକାତାରେ ମମତାଙ୍କ ମେଗା ରାଲିରେ କ୍ରେଜିୱାଲଙ୍କୁ ଦେଖିବାକୁ ମିଳିଥିଲା । କେବଳ କ୍ରେଜିୱାଲ ନୁହେଁ ଅଧିକାଂଶ ଅଣ ବିଜେପି ଦଳ ଗୁଡିକ ମଧ୍ୟ ଏହି ରାଲିରେ ଯୋଗ ଦେଇଥିଲେ । ସେହି ସମୟରେ ଚନ୍ଦ୍ରବାବୁ ନାଇଡୁ ଓ କ୍ରେଜିୱାଲଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଜାତୀୟ ରାଜନୀତି ଉପରେ ଆଲୋଚନା ହୋଇଥିଲା । ସେତେବେଳେ କ୍ରେଜିୱାଲ ଲୋକଙ୍କୁ ଏହି ବିଶ୍ୱାସ ଦେବାକୁ ଚାହୁଁଥିଲେ ଯେ, କେନ୍ଦ୍ରରେ ଅଣ ବିଜେପି ଓ ଅଣ କଂଗ୍ରେସ ସରକାର ଗଠନ ହୋଇପାରେ ।