ଡିଅର ପାର୍କରେ ଅସୁରକ୍ଷିତ ହରିଣ । ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ପାଲିଟିଲାଣି ଭଂଜବିହାର ପାର୍କ

96

କନକ ବ୍ୟୁରୋ: ଭଂଜବିହାର ଡିଅର ପାର୍କରେ ଅସୁରକ୍ଷିତ ହରିଣ । ୫୦ରୁ ଅଧିକ ହରିଣ ରହୁଥିବା ଏହି ପାର୍କଟି ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ଭଳି ମନେ ହେଉଛି । ପାର୍କରେ ହରିଣଙ୍କୁ ଦେଖି ନପାରି ପର୍ଯ୍ୟଟକମାନେ ଫେରୁଥିବା ଅଭିଯୋଗ ହୋଇଛି । ସେପଟେ ଭିତିଭୂମୀ ଅଭାବରୁ ପାର୍କ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।

ସମସ୍ୟା ଘେରରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଭଂଜବିହାର କ୍ୟାମ୍ପସରେ ଥିବା ହରିଣ ପାର୍କ । ରକ୍ଷଣାବେକ୍ଷଣ ଅଭାବରୁ ରହିଣ ପାର୍କଟି ଆଜି ଏକ ଜଙ୍ଗଲରେ ପରିଣତ ହେଲାଣି । ୩ଟି ହରିଣକୁ ନେଇ ୧୯୮୯ ମସିହାରୁ ପ୍ରତିଷ୍ଠା ହୋଇଥିବା ଏହି ହରିଣ ପାର୍କରେ ଏବେ ୫୦ରୁ ଅଧିକ ହରିଣ ଅଛନ୍ତି । ହେଲେ ଏନକ୍ଲୋଜର ନଥିବାରୁ ଡିଅର ପାର୍କ ବୁଲିଆସୁଥିବା ଭଂଜବିହାରର ଛାତ୍ରଛାତ୍ରୀ ଓ ପର୍ଯ୍ୟଟକ ହରିଣ ଦେଖିବାକୁ ପାଉନଥିବା ଅଭିଯୋଗ ହୋଇଛି । ଖୁବ୍ଶୀଘ୍ର ଏ ଦିଗରେ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

ଆଉ ଗୋଟିଏ ବଡ କଥା ହେଉଛି, ଏତେ ସଂଖ୍ୟକ ହରିଣଙ୍କ ଯତ୍ନ ନେବା ପାଇଁ ପାର୍କରେ ଜଣେ ମାତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଫଳରେ ରକ୍ଷଣାବେକ୍ଷଣ ହୋଇପାରୁନାହିଁ ବୋଲି ପର୍ଯ୍ୟଟକ କହୁଥିବା ବେଳେ ଜାଗା ଅଭାବ କଥା କହି ମୁଣ୍ଡରୁ ଦୋଷ ଛଡେଇ ଦେଇଛି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରାଣି ବିଭାଗ । ଜାଗା ଅଭାବରୁ ହରିଣଙ୍କ ସୁରକ୍ଷା ଦୃଷ୍ଟିରୁ ଡିଅର ପାର୍କକୁ ନାରାୟଣୀ କିମ୍ବା ଗଜପତି ଜିଲ୍ଲାକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା କହିଛନ୍ତି ବ୍ରହ୍ମପୁର ଡିଏଫଓ । ତେବେ ହରିଣ ପାର୍କକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।