ସଂକ୍ରମଣ ବଢ଼ିବା ପରେ ସତର୍କ ହେଉଛନ୍ତି ରାଜ୍ୟ : ମହାରାଷ୍ଟ୍ର ସମେତ ୪ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟ କଲେ ପଶ୍ଚିମବଂଗ

ସେପଟେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୮ ହଜାରରୁ ଅଧିକ ସଂକ୍ରମଣ

115

କନକ ବ୍ୟୁରୋ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳୁଥିବା ବେଳେ ଏନେଇ ସତର୍କତା ମଧ୍ୟ ବଢ଼ିଛି । କେନ୍ଦ୍ର ଓ ରାଜ୍ୟମାନେ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି । ପଶ୍ଚିମବଂଗ ସରକାର ବୁଧବାର ଏନେଇ ଏକ ନୂଆ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସମେତ ୪ଟି ରାଜ୍ୟରୁ ପଶ୍ଚିମବଂଗ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ଉପାୟରେ କରାଯାଇଥିବା କୋଭିଡ ପରୀକ୍ଷାର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଏନେଇ ବିମାନ ଚଳାଚଳ ସଂସ୍ଥାମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି । ତେବେ ପଶ୍ଚିମବଂଗ ସରକାରଙ୍କ ଏହି ନିୟମ ୨୭ ଫେବ୍ରୁଆରୀରୁ ଲାଗୁ ହେବ । ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ୩ଟି ରାଜ୍ୟ ହେଲେ କେରଳ, କର୍ଣ୍ଣାଟକ ଓ ତେଲେଙ୍ଗାନା ।

ସୂଚନାଯୋଗ୍ୟ ଯେ, ଏହି ୪ଟି ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ବୁଧବାର ୮ ହଜାର ୮ ଶହ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା । ୧୨୯ ଦିନ ଭିତରେ ରାଜ୍ୟରେ ଏହା ସବୁଠୁ ଅଧିକ ସଂକ୍ରମଣ । ସେହପରି ମହାରାଷ୍ଟ୍ରରେ ଗୋଟିଏ ଦିନରେ ୮୦ ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ମୁମ୍ବାଇରେ ଗୋଟିଏ ଦିନରେ ୧୧ଶହରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଛି । ସେହିପରି କେରଳରେ ୪ ହଜାର ୮୨୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିବାରେ ପଶ୍ଚିମବଂଗ ପ୍ରଥମ ରାଜ୍ୟ ନୁହେଁ । ଏହାପୂର୍ବରୁ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତରାଖଣ୍ଡ ସରକାର ଏପରି ଘୋଷଣା କରିସାରିଛନ୍ତି । ବିଦେଶରୁ ଭାରତ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନୂଆ ମାର୍ଗଦର୍ଶିକା ଜାରି କରିଛି ।