ଟିକା କମାଉଛି କରୋନା ମୃତ୍ୟୁ : ରାଜ୍ୟରେ କରୋନା ଦୁଇଟି ଡୋଜ୍ ଟିକା ନେଲେଣି ୧ ଲକ୍ଷ ୮୦ ହଜାର; ତଥାପି ସଂକ୍ରମିତ ହୋଇଛନ୍ତି ୨୭୪

215

କନକ ବ୍ୟୁରୋ : ଟିକା ନେବାପରେ ମଧ୍ୟ କେତେ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି ସେନେଇ ଏକ ଅଧ୍ୟୟନ କରିଥିଲା ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର । ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରୁ ୩୬୧ ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷଣ କରାଯାଇଥିଲା । ଆଉ ଜଣାପଡିଥିଲା ଯେ, କରୋନା ଟିକାର ୨ଟି ଡୋଜ୍ ନେବାପରେ ମଧ୍ୟ ୨୭୪ଜଣ କରୋନା ସଂକ୍ରମିତ ହୋଇଥିଲେ । ଏପରିକି ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ଏମାନେ କରୋନା ଆକ୍ରାନ୍ତ ହୋଇଛନ୍ତି ।

ଯେଉଁ ସମୟ ମଧ୍ୟରେ କରୋନା ବିରୋଧରେ ଏମାନଙ୍କ ଦେହରେ ପ୍ରତିରୋଧ ଶକ୍ତି ତିଆରି ହେବା କଥା । ମାର୍ଚ୍ଚ ୧ ତାରିଖରୁ ଜୁନ୍ ୧୦ ତାରିଖ ମଧ୍ୟରେ ନମୁନା ସଂଗ୍ରହ କରି ଏହି ପରୀକ୍ଷଣ କରାଯାଇଥିଲା । ତେବେ ଆଶ୍ୱସ୍ତିର କଥା ହେଉଛି ଯେ, ଏମାନଙ୍କ ଭିତରୁ ମାତ୍ର ୯.୯ ପ୍ରତିଶତ ହିଁ ହସ୍ପିଟାଲରେ ଭର୍ତି ହୋଇଥିଲେ । ଯଦିଓ ୮୩ ପ୍ରତିଶତଙ୍କଠାରେ କରୋନାର ଲକ୍ଷଣ ପ୍ରକାଶ ପାଉଥିଲା । ପଜିଟିଭ ଚିହ୍ନଟ ୨୭୪ ଜଣଙ୍କ ମଧ୍ୟରୁ ୨୭ ଜଣ ହସ୍ପିଟାଲରେ ଭର୍ତି ହୋଇଥିବାବେଳେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ଅର୍ଥାତ କରୋନା ଟିକାର ଦୁଇଟି ଡୋଜ୍ ନେଲେ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାର ଆଶଙ୍କା କମିଯାଉଛି । ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିର ରହିଛି ଏବଂ ବେଳେବେଳେ ଉପର, ତଳ ହେଉଥିବା ସୂଚନା ଦେଇଛନ୍ତି । ସଂକ୍ରମଣ ବଢିଥିବା କିଛି ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।