ମହିଳାଙ୍କୁ ପ୍ରଦାନ କରାଯିବ ଜିପିଏସ୍ ଓ ପାନିକ୍ ବଟନ୍ ଥିବା ଚେନ !

76

ଦିନକୁ ଦିନ ମହିଳାଙ୍କ ପ୍ରତି ହିଂସା ବଢ଼ିଚାଲିଛି। ଘରୋଇ ହିଂସା ଏବଂ କର୍ମକ୍ଷେତ୍ରରେ ଯୌନ ଶୋଷଣ ସହ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ମହିଳାଙ୍କ ପ୍ରତି ଅଶ୍ଳୀଳ ଆଚରଣ, ପିଛା କରିବା, ଉଦ୍ଦେଶ୍ୟମୂଳକ ଭାବେ ଚାହିଁବା, କମେଣ୍ଟ ମାରିବା ଏବଂ ଦୁଷ୍କର୍ମ କରିବା ଏହାର ଗୋଟିଏ ଗୋଟିଏ ଉଦାହରଣ । ପ୍ରତିଦିନ ମହିଳାଙ୍କ ପ୍ରତି ହେଉଥିବା ହିଂସା ଖବର ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ।

କେଉଁଠି ଯୌତୁକ ପାଇଁ ମହିଳାମାନେ ନିର‌୍ୟାତନା ଭୋଗୁଛନ୍ତି ତ ଆଉ କେଉଁଠି ଆପଣାର ଲୋକଙ୍କ ଗହଣରେ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି। ଏବେ ପ୍ରତିଦିନ ଦୁଷ୍କର୍ମ ସଂଖ୍ୟା ବଢ଼ିଚାଲିଛି । ମହିଳାଙ୍କ ପ୍ରତି ହଂସାକୁ ଦୃଷ୍ଟିରେ ରଖି ସରକାର ଅନେକ ପଦକ୍ଷେପ ନେଉଛନ୍ତି ସତ କିଛି କାମ ଦେଉନି । ଉଚିତ ଦଣ୍ଡବିଧାନ ନଥିବା ଯୋଗୁଁ ଦିନକୁ ଦିନ ମହିଳାଙ୍କ ପ୍ରତି ହିଂସା ବଢ଼ିବାରେ ଲାଗିଛି ।

ମହାରାଷ୍ଟ୍ରରେ ମହିଳାମାନଙ୍କ ସୁରକ୍ଷା ପାଇଁ ସରକାର ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ଜିପିଏସ୍ ଓ ପାନିକ୍ ବଟନ୍ ଥିବା ଚେନ ମହିଳମାନଙ୍କୁ ଦେବା ପାଇଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଏହି ସୁବିଧା ହେବା ଦ୍ୱାରା କୌଣସି ଅସୁବିଧାର ସମ୍ମୁଖୀନ ହେଲେ ମହିଳାମାନେ ପାନିକ୍‌ ବଟନ୍‌ ଦବାଇ ପୁଲିସକୁ ସୂଚନା ଦେବା ସହ ସେମାନଙ୍କର ଜିପିଏସ୍‌ ମାଧ୍ୟମରେ ଠିକଣା ମଧ୍ୟ ଜଣା ପଡ଼ିଯିବ ।

ଏହି ଘୋଷଣା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦୀପକ କେଶରକର କରିଥିବା ଜଣା ପଡ଼ିଛି । ତାଙ୍କ କହିବା ଅନୁଯାୟୀ, ସରକାର ଏକ ସ୍କିମ୍‌ ତିଆରି କରିବାକୁ ଯାଉଛନ୍ତି । ଯାହାଦ୍ୱାରା ମହିଳାମାନେ ୧୦୦୦ ବା କମ୍‌ ମୂଲ୍ୟରେ ଜିପିଏସ୍‌ ଏବଂ ପାନିକ୍‌ ବଟନ୍‌ ଥିବା ଚେନ୍‌ କିଣି ପାରିବେ । ଏହି ଚେନ୍‌ ପିନ୍ଧିବା ଦ୍ୱାରା ସେମାନେ ନିର୍ଭୟ ହୋଇ ଘରୁ ବାହାରି ପାରିବେ ।

source : Osservatorio Balcani

କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ପୁଲିସକୁ ପାନିକ୍‌ ବଟନ୍‌ ଏବଂ ଜିପିଏସ୍‌ ସାହାଯ୍ୟରେ ନିଜ ଠିକଣା ବିଷୟରେ ସୂଚନା ଦେଇ ପାରିବେ । ଏପରି ବ୍ୟବସ୍ଥା ଦ୍ୱାରା ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ କମ କରାଯାଇ ପାରିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଦୀପକ କେଶରକର ।