ନିଟ୍ ପରୀକ୍ଷା ଦେଇ ପାରିବେ ନାହିଁ କୋଭିଡ୍ ପଜିଟିଭ୍ ଛାତ୍ରଛାତ୍ରୀ: ପରବର୍ତ୍ତୀ ସମୟରେ ପରୀକ୍ଷା ଦେବେ କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ; ଏସଓପି ଜାରି କଲା ଟେଷ୍ଟିଂ ଏଜେନ୍ସି

128

କନକ ବ୍ୟୁରୋ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ନିଟ୍ ପରୀକ୍ଷା । କିନ୍ତୁ ଏହି ପରୀକ୍ଷାରେ ଭାଗ ନେଇପାରିବେ ନାହିଁ କରୋନା ପଜିଟିଭ୍ ଥିବା ଛାତ୍ରଛାତ୍ରୀ । ପଜିଟିଭ ଥିବା ଛାତ୍ରଛାତ୍ରୀମାନେ ପରବର୍ତୀ ସମୟରେ ପରୀକ୍ଷା ଦେଇପାରିବେ । ଆଜି ପରୀକ୍ଷା ସରିବା ପରେ ଏନେଇ ପରବର୍ତୀ ନିଷ୍ପତି ନିଆଯିବ ଏବଂ ଏହି ଛାତ୍ରଛାତ୍ରୀମାନେ କେବେ ପରୀକ୍ଷା ଦେବେ ସେ ସମ୍ପର୍କରେ ଅବଗତ କରାଯିବ । ନିଟ୍ ପରୀକ୍ଷା ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଠିଂ ଏଜେନ୍ସି ଏନେଇ ନୂଆ ଏସ୍ଓପି ଜାରିକରିଛି ।

ଆଜିି ରାଜ୍ୟର ୭ଟି ଜିଲ୍ଲାର ୭ଟି ସହରରେ ଏହି ପରୀକ୍ଷା ହେବ । ନାସନାଲ ଟେଷ୍ଟିଂ ଏଜେନ୍ସୀ ଗାଇଡଲାଇନ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସଂପୃକ୍ତ ଜିଲ୍ଲାପାଳ ଓ ମୁନିସିପାଲ୍ କମିସନର ଏ ନେଇ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ନିର୍ଭୟରେ ପରୀକ୍ଷା ଦେବାକୁ କୁହାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।