ନାମାଙ୍କନ ଭରିବା ପରେ ବିରୋଧୀଙ୍କୁ ସମର୍ଥନ ମାଗିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କଣ ମିଳିଲା ଉତର

809

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହି ନାମାଙ୍କନ ପରେ ଦୌପଦୀଙ୍କ ତରଫରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଫୋନ ମାଧ୍ୟମରେ କଥା ହୋଇ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । କୁହାଯାଉଛି କି ଏହି ଫୋନ ବେଳେ ମମତା ବାନାର୍ଜୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନ ନେଇ ଶୁଭକାମନା ଜଣାଇଛନ୍ତି । ଏହାସହ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ସେ ଦଳ ସହ ଆଲୋଚନା କରିବେ ବୋଲି କହିଥିବା ସୂତ୍ର ସୂଚନା ରହିଛି ।

କହିରଖୁ କି ନାମାଙ୍କନ ପୂର୍ବରୁ ଦ୍ରୌପଦୀ ମୁର୍ମୁ ସଂସଦ ଭବନ ପହଂଚିଥିଲେ । ଏହାପରେ ସେଠାରୁ ନାମାଙ୍କନ ଭରିବାକୁ ବାହାରିଥିଲେ । ତାଙ୍କ ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସମର୍ଥକ ଭାବେ ଦସ୍ତଖତ କରିଥିଲେ । ସେ ୪ ସେଟ ନାମାଙ୍କନ ପତ୍ର ଭରିଛନ୍ତି । ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଓ କିଛି କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ଏହି ନାମାଙ୍କନ ଭରିବା ବେଳେ ବିଜେପି ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ । ଏହି କ୍ରମରେ ଏନଡିଏ ଏକଜୁଟ ହେଉଥିବା ନଜରକୁ ଆସିଥିଲା । ନାମାଙ୍କନ ବେଳେ ବିଜେପି ବ୍ୟତୀତ ଜେଡିୟୁ ଓ ବିଜେଡି ଓ ୱାଇଏସରଆର କଂଗ୍ରେସର କିଛି ସଦସ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

କହିରଖୁ କି ଓଡିଶାର ମୟୁରଭଞ୍ଜ ଭଳି ଏକ ଆଦିବାସୀ ଅଞ୍ଚଳରେ ଦୌପଦୀ ମୁର୍ମୁଙ୍କ ଜନ୍ମ । ସେ ପେଶାରେ ଜଣେ ଶିକ୍ଷକ ଥିଲେ । ଏହାପରେ ରାଇରଙ୍ଗପୁର କାଉଁସିଲରୁ କାଉଁସିଲର ଭାବେ ବିଜୟୀ ହୋଇ ସେ ନିଜର ରାଜନୈିତିକ ଜୀବନ ଆରମ୍ଭ କରିଥିଲେ । ସେ ବିଜେପି ଟିକେଟରୁ ବିଧାୟକ ବି ହୋଇଥିଲେ । ଏହାସହ ସେ ୨୦୧୫ ମେ ୧୮ ତାରିଖରୁ ୨୦୨୧ ଜୁଲାଇ ମାସ ପର୍ଯ୍ୟନ୍ତ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ କାମ କରିଛନ୍ତି ।