ମେଘାଳୟରେ ବିଜେପିର ମାଷ୍ଟ୍ରରଷ୍ଟ୍ରୋକ ! ମାତ୍ର ୨ଟି ଆସନ ଜିତି ଏନପିପି ନେତୃତ୍ୱରେ ସରକାର ଗଢିବ ବିଜେପି, କଂଗ୍ରେସ ହାତରୁ ଗଲା ଆଉ ଏକ ରାଜ୍ୟ

61

ମେଘାଳୟରେ ଏନପିପି ନେତୃତ୍ୱରେ ସରକାର ଗଢିବ ବିଜେପି । ଏନପିପି, ୟୁଡିପି, ପିଡିଏଫ ଓ ଏଚଏସପିଡିପି ଦଳର ସମର୍ଥନରେ ମେଘାଳୟରେ ଏନଡିଏ ସରକାର ଗଢିବାକୁ ଯାଉଛି । ମାତ୍ର ୨ଟି ସିଟରେ ବିଜୟୀ ହୋଇଥିଲେ ମଧ୍ୟ ଅନ୍ୟ ଆଞ୍ଚଳିକ ଦଳକୁ ସମର୍ଥନ ଦେଇ ବିଜେପି ସରକାର ଗଢିବା ସହ ଏକ ମାଷ୍ଟରଷ୍ଟ୍ରୋକ ଖେଳିଛି । କଂଗ୍ରେସକୁ ସରକାରରୁ ଦୂରେଇ ରଖିବା ପାଇଁ ଆଞ୍ଚଳିକ ଦଳ ସହ ହାତ ମିଳାଇଥିଲା । ଦୀର୍ଘ ସମୟ ଧରି ଆଲୋଚନା ପରେ ବିଜେପି ଏନପିପିକୁ ସମର୍ଥନ ଜଣାଇଥିଲା । ଏହାସହ ସମସ୍ତ ବିଧାୟକ ଏବେ ରାଜଭବନ ମୁହାଁ ହୋଇଛନ୍ତି । ୩୪ ଜଣ ବିଧାୟକ ରାଜ୍ୟପାଳଙ୍କୁ ଭେଟିବା ସହ ସରକାର ଗଢିବା ପାଇଁ ଦାବି କରିଥିଲା ବିଜେପି-ଏନପିପି ମେଣ୍ଟ । ଆଉ ଏହି ଦାବିଙ୍କୁ ମାନି ନେଇଛନ୍ତି ରାଜ୍ୟପାଳ । ସରକାର ଗଠନ ପାଇଁ ବିଜେପି-ଏନିପିପି ମେଣ୍ଟକୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ସୂଚନା ଅନୁସାରେ ଏନପିପି ନେତା କୋନରାଡ ସଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ପଦ ପାଇଁ କୋନରାଡ ସଙ୍ଗମାଙ୍କ ନାଁରେ ସର୍ବସମ୍ମତି କ୍ରମେ ମୋହର ବାଜିଛି । ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ୬ ତାରିଖରେ ଶପଥ ନେବେ ବୋଲି ଜଣାପଡିଛି ।

୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିଲା । ୨୧ ଆସନ ଜିତି କଂଗ୍ରେସ ବଡ ଦଳ ଭାବେ ଉଭା ହୋଇଥିଲା । ସେହିଭଳି ଏନପିପି ୧୯ଟି ସିଟ ସହ ଦ୍ୱିତୀୟ ବହୁମତ ଦଳ ଭାବେ ମାନ୍ୟତା ପାଇଥିଲା । ୟୁଡିପି ମାତ୍ର ୬ଟି ଆସନରେ ବିଜୟୀ ହୋଇଥିବା ବେଳେ ପିଡିଏଫ ଦଳ ୪ଟି ଆସନରେ ବିଜୟୀ ହୋଇଛି । ବିଜେପି ଓ ଏଚଏସପିଡିପି ମାତ୍ର ୨ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । କିନ୍ତୁ ୨ଟି ଆସନ ବିଜୟୀ ହେବା ସତ୍ତେ୍ୱ ମଧ୍ୟ ଏନପିପି ନେତୃତ୍ୱରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ସେହିଭଳି ଏହି ମେଣ୍ଟରେ ସାମିଲ ହୋଇଥିବା ୟୁଡିପି ନେତା ଦୋନକୁପର ରୟଙ୍କ କହିବା ଅନୁଯାୟୀ, ତାଙ୍କ ଦଳ କଂଗ୍ରେସ ସହ କାମ କରି ପାରିବ ନାହିଁ । ତେଣୁ ବିଜେପି-ଏନପିପିର ମିଳିତ ସରକାରକୁ ତାଙ୍କ ଦଳ ସମର୍ଥନ ଦେବ ବୋଲି ସେ କହିଛନ୍ତି । କାରଣ ଏହି ସରକାର ସ୍ଥିର ରହିବା ସହ ରାଜ୍ୟର ବିକାଶରେ ମଧ୍ୟ ସହାୟକ ହେବ ।

ଏହାପୂର୍ବରୁ କଂଗ୍ରେସ ଦଳର ବରିଷ୍ଠ ନେତା ମାନେ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ରାଜ୍ୟପାଳଙ୍କୁ ଦିଆଯାଇଥିବା ଚିଠିରେ କୁହାଯାଇଛି ରାଜ୍ୟରେ ୨୧ଟି ଆସନ ଜିତି ଦଳ ରାଜ୍ୟରେ ବଡ ଦଳ ଭାବେ ଉଭା ହୋଇଛି । ତେଣୁ କଂଗ୍ରେସକୁ ପ୍ରଥମେ ସୁଯୋଗ ଦିଆଯିବା ଦରକାର । ଦଳର ବରିଷ୍ଠ ନେତା କମଲନାଥ, ଅହମ୍ମଦ ପଟେଲ ଓ ମୁକୁଲ ୱାସନିକ ଏବେ ମେଘାଳୟରେ ଅଛନ୍ତି । ପୂର୍ବରୁ ଗୋଆ ଓ ମଣିପୁରରେ ବଡ ଦଳ ହେବା ସତ୍ୱେ ସରକାର ଗଠନ କରିପାରିନଥିଲା କଂଗ୍ରେସ । ଏହିଦୃଷ୍ଟିରୁ ମେଘାଳୟରେ ମଧ୍ୟ ଉତ୍ସାହିତ ଅଛି ବିଜେପି । ତେଣୁ ମେଘାଳୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ ବୋଲି ବିଜେପି କହିଛି ।