ଉପରାଷ୍ଟ୍ରପତି ନିର୍ବାଚନ : ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ନାମାଙ୍କନ ଦାଖଲ

102

କନକ ବ୍ୟୁରୋ : ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗଦୀପ ଧନଖଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଏବଂ ବିଜେପି ସଭାପତି ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଜେଡି ମଧ୍ୟ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଛି । ତେଣୁ ପୁରୀ ସାଂସଦ ପିନାକୀ ମିଶ୍ର ଧନଖଡଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ ।

ସେପଟେ ଜଗଦୀପ ଧନଖଡଙ୍କ ପ୍ରତିପକ୍ଷ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା । ଦିଲ୍ଲୀରେ ଗତକାଲି ବିରୋଧୀ ଦଳଙ୍କ ବୈଠକ ପରେ ତାଙ୍କ ନାମ ଏନସିପି ମୁଖ୍ୟ ଶରଦ ପାୱାର ଘୋଷଣା କରିଥିଲେ । ଆସନ୍ତାକାଲି ଉପରାଷ୍ଟ୍ରପତିି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ତେଣୁ ମାର୍ଗାରେଟ ଆଲଭା ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି ।

ଜଗଦୀପ ଧନଖଡ଼ଙ୍କ ରାଜନୈତିକ କ୍ୟାରିୟର ଓ ରାଜନୈତିକ ଶୈଳି ଉପରେ ଅନେକ ସମୟରେ ଚର୍ଚ୍ଚା ହୁଏ । ହେଲେ ରାଜନୀତିକୁ ଛାଡ଼ି ତାଙ୍କର ଅନ୍ୟ ଏକ ସ୍ୱତନ୍ତ୍ର ପରିଚୟ ରହିଛି , ଯାହା ହୁଏତ ଓଡ଼ିଶାରେ ଅନେକଙ୍କୁ ଅଜଣା । ସେ ଜଣେ ପ୍ରସିଦ୍ଧ ଆଇନ ବିଶାରଦ । ରାଜନୀତିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଧନକଡ଼ ଜଣେ ବହୁମୁଖୀ ପ୍ରତିଭା । ଖାଲି ରାଜନୀତି ନୁହେଁ ଆଇନ କ୍ଷେତ୍ରରେ ତାଙ୍କର ଲମ୍ବା ଅଭିଜ୍ଞତା ରହିଛି । ଜଣେ ବିଚକ୍ଷଣ ଓକିଲ ଭାବେ ତାଙ୍କର ମଧ୍ୟ ସୁନାମ ରହିଛି । ବହୁ ହାଇପ୍ରୋଫାଇଲ କେସ୍ ବି ସେ ଲଢ଼ିଛନ୍ତି ।

୧୮ ମେ’ ୧୯୫୧ରେ ଜନ୍ମଗ୍ରହଣ କରିଥିବା ଧନଖଡ଼ ପ୍ରାଥମିକ ଶିକ୍ଷା ପରେ ଆଇନ ଶିକ୍ଷାପ୍ରତି ମନ ବଳାଇଥିଲେ । ବିଧିବଦ୍ଧ ଭାବେ ଆଇନ ପାଠ ପଢ଼ିବା ପରେ ସେ ୧୯୭୯ରେ ରାଜସ୍ଥାନ ବାର୍ କାଉନସିଲରେ ଯୋଗଦେଇଥିଲେ । ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ସର୍ବକନିଷ୍ଠ ଅଧ୍ୟକ୍ଷ ଥିଲେ । ୧୯୯୦ରୁ ୨୦୧୮ ପର୍ଯ୍ୟନ୍ତ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରିଛନ୍ତି । ଉଭୟ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲ ଭାବେ କାର୍ଯ୍ୟ କରିଛନ୍ତି । ଆଇନ ଉପରେ ଗଭୀର ଅଭିଜ୍ଞତା ତାଙ୍କୁ ଅନେକ ସମୟରେ ରାଜନୀତିରେ ମଧ୍ୟ ସହାୟତା କରିଛି । ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପଛରେ ଏହା ଏକ କାରଣ ବୋଲି ମଧ୍ୟ କିଛି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ଠିକ୍ ଆଇନ କ୍ଷେତ୍ର ସହ ରାଜନୀତିରେ ଏକ ଲମ୍ବା ଇନିଙ୍ଗସ୍ ଖେଳି ଚାଲିଛନ୍ତି ଜଗଦୀପ ଧନଖଡ଼ । ୧୯୮୯ରେ ଜନତା ଦଳ ଟିକେଟରୁ ଝୁନୁଝୁନୁ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କେନ୍ଦ୍ରରେ ମଧ୍ୟ ମନ୍ତ୍ରୀ ଭାବେ ପୂର୍ବରୁ କାମ କରିଛନ୍ତି । ୧୯୯୦ରେ ସେତେବେଳେର ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ସରକାରରେ ସଂସଦୀୟ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୮ରେ ଧନଖଡ଼ ବିଜେପିରେ ଯୋଗଦେଇଥିଲେ ।