ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ଏନଡିଏର ବୈଠକ, ‘ସିଏଏ’ ଆଇନ ପ୍ରତ୍ୟାହାର ନେଇ ଉଠିଲା ଦାବି

148

କନକ ବ୍ୟୁରୋ : ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୯ ତାରିଖରୁ ସଂସଦରେ ଶୀତକାଳୀନ ଅଧିବେଶନ ହେବାକୁ ଯାଉଛି । ଏହା ପୂର୍ବରୁ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଥମଥର ପାଇଁ ଏନଡିଏର ସହଯୋଗୀ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି ଚଳିତ ଅଧିବେଶନରେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରତ୍ୟାହାର ନେଇ ଦାବି ଉଠାଇଛି । ଏନପିପିର ନେତା ଅଗାଥା ସାଂଗମା ଏହି ବୈଠକରେ ସିଏଏ ପ୍ରତ୍ୟାହାର ନେଇ ଦାବି କରିଛନ୍ତି । ବୈଠକ ପରେ ସେ କହିଛନ୍ତି କି ବୈଠକରେ ତାଙ୍କ କଥାକୁ ଶୁଣିଛନ୍ତି ବିଜେପି ନେତା ।

କହିରଖୁ କି, ନାଗରିକତା ସଂଶୋଧନ ଆଇନ ବିରୋଧରେ ବିରୋଧୀମାନେ ବାରମ୍ବାର ସ୍ୱର ଉର୍ତ୍ତୋଳନ କରୁଛନ୍ତି । ହେଲେ ପ୍ରଥମଥର ପାଇଁ ଏନଡିଏର ସହଯୋଗୀ ଦଳ ଭିତରୁ ଏହି ଦାବି ଉଠିଛି । ସୂଚନା ଥାଉକି କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ସିଏଏ ଆଇନ ପ୍ରତ୍ୟାହାର ନେଇ ଦାବି ଉଠିଛି । ଏନେଇ କେନ୍ଦ୍ରମନ୍ତ୍ରୀ ମୁକତାର ଆବାସ ନକଭୀ କହିଥିଲେ କି ଧାରା ୩୭୦ ଓ ନାଗରିକାତା ଆଇନ ପ୍ରତ୍ୟାହାର ନେଇ ଦାବି ହେଉଛି । ହେଲେ ଯେଉଁଲୋକମାନେ ଏହି ଦାବି କରୁଛନ୍ତି ସେମାନେ ଜାଣିରଖିବା ଉଚିତ ଯେ ଏହି ଆଇନ ନାଗରିକତା ଛଡାଇନେବାକୁ ନୁହେଁ ବରଂ ଲୋକଙ୍କୁ ଦେଶର ନାଗରିକ ହେବାର ସୁଯୋଗ ଦେବ ।

ଉଭୟ ସଦନରେ କେନ୍ଦ୍ର ସରକାର ଧ୍ୱନୀମତରେ ସିଏଏ ଆଇନ ପାରିତ କରିଥିଲେ । ଏହାପରେ ଏହାକୁ ନେଇ ସାରା ଦେଶରେ ବିରୋଧୀମାନେ ସ୍ୱର ଉର୍ତ୍ତୋଳନ କରିଥିଲେ । ଆନ୍ଦୋଳନ, ଧର୍ମଘଟ ଓ ସମସ୍ତ ବିରୋଧ ପରେ ବି ସରକାର ନିରବ ରହିଥିଲେ । ସେ ପ୍ରଥମଥର ପାଇଁ କୃଷି ଆଇନ କ୍ଷେତ୍ରରେ ସରକାର ପଛଘୁଞ୍ଚା ଦେବା ପରେ ଧାରା ୩୭୦ ଓ ସିଏଏ ଆଇନ ପ୍ରତ୍ୟାହାର କରିବାକୁ ପୁଣି ବିରୋଧୀମାନେ ଦାବି ଉଠାଇଛନ୍ତି ।