କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପ୍ରଥମେ ଶିବସେନା ଆଉ ଏବେ ଏନସିପିରେ ବିଦ୍ରୋହ । ଏନସିପିରେ ୫୩ ବିଧାୟକ ରହିଥିଲେ । ତେଣୁ ବିଦ୍ରୋହ କରିବା ଏତେ ସହଜ ନଥିଲା । ଏଥିପାଇଁ ତତ୍କାଳୀନ ବିରୋଧୀ ଦଳ ନେତା ଅଜିତ ପାୱାର ଦୁଇ ମାସ ହେବ ଗୋପନ ଷଡଯନ୍ତ୍ର କରିଥିଲେ ବୋଲି ସୂଚନା ରହିଛି । ଏଥିପାଇଁ ଦଳର ପ୍ରମୁଖ ନେତାଙ୍କୁ ନିଜ ପଟକୁ ଆଣିବାକୁ ପ୍ରଥମେ ଯୋଜନା କରିଥିଲେ । ଆଉ ଏହି ଯୋଜନା ବାବଦରେ ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଅବଗତ କରାଉଥିଲେ । ଏପରିକି ସର୍ବନିମ୍ନ ୩୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା ବୋଲି କୁହାଯାଉଛି ।
ପ୍ରଥମେ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳ ପରେ ଦଳର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲଙ୍କୁ ଭିତିରିଆ ନିଜ ପକ୍ଷକୁ ଆଣିଥିଲେ ଅଜିତ ପାୱାର । ଜୁନ ୨୯ ତାରିଖରେ ଫଡନାଭିସ ଓ ଏକନାଥ ସିନ୍ଦେ ଦିଲ୍ଲୀ ଆସିଥିଲେ । ଆଉ ଯୋଜନା ବାବଦରେ ଅମିତ ଶାହଙ୍କୁ ଭେଟି ଅବଗତ କରାଇଥିଲେ, ଶାହା ସଙ୍କେତ ଦେବା ପରେ ଅଜିତ ୯ ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅଜିତଙ୍କ ସହ ଏବେ କେତେ ବିଧାୟକଙ୍କର ସମର୍ଥନ ରହିଛି ତାହା ବିଧିବଦ୍ଧ ଭାବେ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏସବୁ ଭିତରେ ମହାରାଷ୍ଟ୍ର ରାଜନୀତି କିନ୍ତୁ ବେଶ ସରଗରମ ହୋଇ ଉଠିଛି ।
ଏନସିପିର ମହାରାଷ୍ଟ୍ର ଅଧ୍ୟକ୍ଷ ଜୟନ୍ତ ପାଟିଲ କହିଛନ୍ତି, ଏ ପୂରା ଘଟଣାକ୍ରମ ବାବଦରେ ଦଳର ଅନୁଶାସନ ସମିତି ନିକଟରେ ଅଭିଯୋଗ କରାଯାଇଛି । କେବଳ ଏତିକି ନୁହେଁ ଏହି ନେତାଙ୍କର ଅଯୋଗ୍ୟ କରିବାକୁ ବିଧାନସଭା ଅଧ୍ୟକ୍ଷଙ୍କ ନିକଟକୁ ଇମେଲ ଜଣାଯାଇଛି । ଏହି ଘଟଣାର ଶୁଣାଣି ଖୁବଶୀଘ୍ର କରିବାକୁ ବିଧାନସଭାର ବାଚସ୍ପତିଙ୍କୁ ଅନୁରୋଧ କରିଛୁ । ନିର୍ବାଚନ ଆୟୋଗକୁ ମଧ୍ୟ ଜଣାଇଛୁ ଯେ, ସମସ୍ତ ଜିଲ୍ଲାର ପ୍ରଭାରୀ ଓ ଦଳର କାର୍ଯ୍ୟକର୍ତ୍ତା ଏବେ ଶରଦ ପାୱାରଙ୍କ ସହ ଅଛନ୍ତି । କାରଣ ୯ ଜଣ ବିଧାୟକଙ୍କୁ ନେଇ ଦଳ ନୁହେଁ । ସେମାନେ ଯେଉଁଭଳି ଭାବେ ଶପଥଗ୍ରହଣ କରିଛନ୍ତି ତାହା ଦଳର ନୀତି ବିରୋଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/14_00000-1.jpg)