କନକ ବ୍ୟୁରୋ: ମହାରାଷ୍ଟ୍ରରେ କ୍ଷମତା ରାଜନୀତିର ହାଇଡ୍ରାମା ଦେଖିବାକୁ ମିଳୁଥିବାବେଳେ, ଏନସିପି ନେତା ଶରଦ ପାୱାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ମହାବିକାଶ ଅଘାଡି ମେଣ୍ଟ ସହିତ ସେ ଅଛନ୍ତି । ହେଲେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ସେ ସାଙ୍ଗ ହେଇ ରହିବେ କି ନାହିଁ, ସେ ବିଷୟରେ କିଛି ବି କହିହେବ ନାହିଁ । ତେବେ ଶରଦଙ୍କ ଏହି ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି । କାହିଁକି ନା, ଗୋଟିଏ ପଟେ ତାଙ୍କ ପୁତୁରା ଅଜିତ୍ ପାୱାର ଖୁବଶୀଘ୍ର ବିଜେପିକୁ ଡେଇଁବା ନେଇ କଥା ଉଠିଥିବାବେଳେ, ଶରଦଙ୍କ ଏଭଳି ବୟାନ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି ।

Advertisment

ଶରଦ ପାୱାର ଅମରାବତୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ୨୦୨୪ ପର୍ଯ୍ୟନ୍ତ ମହାବିକାଶ ଅଘାଡି ମେଣ୍ଟ ମିଶି ନିର୍ବାଚନ ଲଢିବ କି? ଏହାର ଜବାବରେ ସେ କହିଥିଲେ, ଆଜି ଆମେ ମହାବିକାଶ ଅଘାଡି ମେଣ୍ଟ ସହିତ ଅଛୁ, ସାଙ୍ଗ ହେଇ କାମ କରିବାକୁ ଇଚ୍ଛା ଅଛି । ହେଲେ ଇଚ୍ଛା ହିଁ ରାଜନୀତିରେ ପର୍ଯ୍ୟାପ୍ତ ନୁହେଁ ।
ଅନ୍ୟପଟେ ଏନସିପିରେ ବିଦ୍ରୋହ ହେବା ନେଇ ସମ୍ଭାବନା ବଢୁଥିବା ବେଳେ ଶରଦ କହିଛନ୍ତି, ଯଦି କେହି ଏନସିପିକୁ ଭାଙ୍ଗିବାକୁ ଷଡଯନ୍ତ୍ର କରେ ତେବେ ଦଳ କଡା କାର୍ୟ୍ୟାନୁଷ୍ଠାନ ନେବ । ପୁତୁରା ଅଜିତ ପାୱାର ବିଜେପିକୁ ଯିବା ନେଇ ଚର୍ଚ୍ଚା ବଢୁଥିବା ବେଳେ ଶରଦଙ୍କର ଏଭଳି ବୟାନ ସାମ୍ନାକୁ ଆସିଛି ।

ମହାରାଷ୍ଟ୍ର ରାଜନୀତିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଅଜିତ ପାୱାର ଶାସକ ବିଜେପି ସହ ଯୋଗାଯୋଗରେ ରହିଛନ୍ତି । ଏପରିକି ଅଜିତ ପାୱାର ମଧ୍ୟ କହି ସାରିଛନ୍ତି ମୁଁ ୧୦୦% ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ଆଉ ଏଭଳି ବୟାନ ଦର୍ଶାଉଥିଲା ଯେ, ଏନସିପିରେ ବଡ ଧରଣର ଓଲଟପାଲଟ ହେଇପାରେ । ଏପରିକି ୩୦ରୁ ଅଧିକ ବିଧାୟକଙ୍କ ସହ ଅଜିତ ବିଜେପି ଛାଡିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏଭଳି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ଅଜିତ ପାୱାର । ସେ କହିଛନ୍ତି, ମୁଁ ଏନସିପିରେ ଅଛି ଏବଂ ଏନସିପିରେ ରହିବି ମଧ୍ୟ । ମୋ ନାଁରେ ଯେଉଁ ଅପପ୍ରଚାର କରାଯାଉଛି ସେଥିରେ ସତ୍ୟତା ନାହିଁ ।