ରିପବ୍ଲିକ୍ ଟିଭିକୁ ଆଇବିଏଫ ସଦସ୍ୟ ପଦରୁ ନିଲମ୍ବନ କରିବାକୁ ଏନବିଏର ଦାବି । ହ୍ୱାଟସଆପ ଚାଟ୍ ଭାଇରାଲକୁ ଏବେ ଚର୍ଚ୍ଚାରେ ରିପବ୍ଲିକ୍ ଟିଭିର ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀ । 

101

କନକ ବ୍ୟୁରୋ : ରିପବ୍ଲିକ୍‌ ଟିଭିର ପ୍ରତି‌ଷ୍ଠାତା ତଥା ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ  ଏବଂ ଟିଭି ରେଟିଂ ପ୍ରଦାନକାରୀ ସଂସ୍ଥା ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ ଚାଟ୍‌ ବା ବାର୍ତ୍ତା ଆଦାନପ୍ରଦାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ନ୍ୟୁଜ୍‌ ବ୍ରଡକାଷ୍ଟର୍ସ ଆସୋସିଏସନ୍‌(ଏନବିଏ)  ପକ୍ଷରୁ ଏକ ବିବୃତିରେ କୁହାଯାଇଛି କି ‘ଅର୍ଣ୍ଣବ ଗୋସ୍ୱାମୀ ଓ ବାର୍କର ସିଇଓଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ ଚାଟ୍‌ ଦେଖିବା ପ‌ରେ ଖୁବ୍ ଆଶ୍ଚର୍ଯ୍ୟ ଲାଗୁଛି। ଏହି ଚାଟ୍‌ ଦେଖିବା ପରେ ସେମାନେ କିପରି ଭାବେ ଟିଆରପି ଦୁର୍ନୀତିରେ ଲିପ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇଛି। ଫଳରେ ଅନ୍ୟ ଚ୍ୟାନେଲ ଗୁଡ଼ିକୁ ଅନେକ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି।’

ଏଣୁ ଏନବିଏ ପକ୍ଷରୁ ଦାବି ହୋଇଛି ଯେ ରିପବ୍ଲିକ୍‌ ଟିଭିକୁ ଆଇବିଏଫ୍‌ ‌ସଦସ୍ୟ ପଦରୁ ତୁରନ୍ତ ନିଲମ୍ବନ କରାଯାଉ। ଏନବିଏ ବୋର୍ଡ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ରିପବ୍ଲିକ୍‌ ଟିଭିର ‌ରେଟିଂ ହେରଫେର ପୂରା ବ୍ରଡକାଷ୍ଟ୍‌ ଇଣ୍ଡଷ୍ଟ୍ରିର ସମ୍ମାନହାନୀ କରିଛି। ଏହି କାରଣରୁ ଅନ୍ତିମ ଅଦାଲତ ଆଦେଶ ପର୍ଯ୍ୟନ୍ତ ଏହାକୁ ବାର୍କ ରେଟିଂ ପ୍ରଣାଳୀରୁ ଦୂରେଇ ରଖିବା ଉଚିତ।

ଉଲ୍ଲେଖଯୋଗ୍ୟ, ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଏକାଧିକ ବାର୍ତ୍ତାଳାପରେ ଅରୁଣ ଜେଟଲୀଙ୍କ ମୃତ୍ୟୁ, ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଏବଂ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ବେଳର ଖବର ପ୍ରସାରଣ ପାଇଁ ରିପବ୍ଲିକ ଭାରତ ଚ୍ୟାନେଲ କିଭଳି ପ୍ରସ୍ତୁତ ଥିଲା ଏବଂ ଏହାର ଫାଇଦା କିଭଳି ନେଇଛି ତାହା ଅର୍ଣ୍ଣବ ସେସବୁ ଚାଟରେ ଦାବି କରିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଅନେକ କଥା ହୋଇଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଅର୍ଣ୍ଣବଙ୍କଠାରୁ ଦାସଗୁପ୍ତା ବ୍ୟକ୍ତିଗତ ଅନୁଗ୍ରହ ମଧ୍ୟ ଚାହିଁଛନ୍ତି ।