ନୟାଗଡ଼ର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ! ଘଞ୍ଚ ଜଙ୍ଗଲରେ ସାଇକେଲିଂ ଓ ମହାନଦୀର ଗଭୀର ଗଣ୍ଡରେ ବୋଟିଂର ମଜା, ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରୁଛି କ୍ୟାନୋପି ୱାକ୍

932
କନକ ବ୍ୟୁରୋ : ମହାନଦୀର ବିସ୍ତୀର୍ଣ ବାଲୁକା ଶଜ୍ୟାରେ ତମ୍ବୁ ଟେଂଟ୍ ସାଙ୍ଗକୁ ନଦୀ ଅବବାହିକାରେ ସୁନ୍ଦର କଟେଜ । ଘଂଚ ଜଂଗଲରେ ସାଇକେଲିଂ ହେଉ ବା ମହାନଦୀର ଗଭୀର ଗଣ୍ଡରେ ବୋଟିଂର ଏକ୍ସପେରିମେଂଟ । ନିଶ୍ଚିତ ଭାବେ ରୋମାଂଚକର ଆଉ ମନ ମୁଗ୍ଧକର । ଏସବୁର ସମାହାର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟରେ । ନୟାଗଡ ଜିଲ୍ଲା ବଡମୂଳ ଅଂଚଳରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ୪ ବର୍ଷ ହେଲା ନିଜର ସ୍ୱତନ୍ତ୍ରତା ଜାହିର କରିଆସୁଛି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ । କଟେଜରେ ରହିବା, ସ୍ୟାଣ୍ଡ ସ୍ପୋର୍ଟସ , କ୍ୟାମ୍ପ ଫାୟାର, ଫୋକ ଡ୍ୟାନ୍ସ ଓ ସ୍ଥାନୀୟ ଅଂଚଳ ଖାଦ୍ୟର ମଜା ନେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ।

ସାତକୋଶିଆ ସ୍ୟାଣ୍ଡ ରିସୋର୍ଟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଠାରେ ଖୋଲିଛି କ୍ୟାନୋପି ୱାକ୍ । ବନ ବିଭାଗ ଆଉ ସ୍ଥାନୀୟ ଅଧିବାସୀଙ୍କ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଏହି ୱାକ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଗଛ ଡାଳରେ ବୁଲିବାର ଅନୁଭୂତି, ଡ୍ୟାନ୍ସିଂ ୱାକ୍ ସହ ପକ୍ଷୀଙ୍କୁ ଅତି ନିକଟରୁ ଦେଖିବା ପାଇଁ ଏହାର ପରିକଳ୍ପନା କରାଯାଇଛି । ନଦୀ ଅବବାହିକାର ବାଉଁଶ ଜଂଗଲରେ ବୁଲିବା ସହ ଅଧିକ ଉଚ୍ଚରୁ ମହାନଦୀର ଶୋଭା ଦେଖିପାରୁଛନ୍ତି ପର୍ଯ୍ୟଟକ । ଓଡିଶାର ପ୍ରଥମ ଓ ଭାରତର ଦ୍ୱିତୀୟ ଏହି ୧୨୦ ମିଟର ଦୈର୍ଘ୍ୟ ବିଶିଷ୍ଟ କ୍ୟାନୋପି ୱାକକୁ ଆଗାମୀ ଦିନରେ ଅଧିକ ଆକର୍ଷଣୀୟ କରାଯିବ ବୋଲି କହିଛନ୍ତି ଡିଏଫଓ ।
ଅନଲାଇନରେ ବୁକିଂ କରି ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ସହ ଗୋଟିଏ ପ୍ଳାଟଫର୍ମରେ ଏକାଧିକ ସୁବିଧା ଯୋଗାଇବାକୁ ତତ୍ପର ଏଠାରେ ନିୟୋଜିତ ସମସ୍ତ କର୍ମଚାରୀ । ଏଠାରୁ ମିଳୁଥିବା ଆୟକୁ ଗ୍ରାମବାସୀ ଓ ବନ ବିଭାଗ ଭାଗବାଂଟି ନେଉଥିବା ବେଳେ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ସ୍ଥାନୀୟ ୩ଟି ଗାଁର ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେଇଛି ।
ଏହି ପର୍ଯ୍ୟଟନ ସ୍ଥଳରେ ଏବେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଆଉ ବିଭିନ୍ନ ପକ୍ଷୀଙ୍କ ବିଷୟରେ ଗବେଷଣା କରିବା ପାଇଁ ଏଠାକୁ ରିସର୍ଚରମାନେ ଆସୁଥିବା ଦେଖିବାକୁ ମିଳୁଛି ।