ନକ୍ସଲଙ୍କ ହାତରେ ଇସ୍ରାଏଲ ବନ୍ଧୁକ: ଏକ୍ସ-୯୫ ଆସଲ୍ଟ ରାଇଫଲ ବ୍ୟବହାର କରୁଛନ୍ତି ମାଓବାଦୀ

ଛତିଶଗଡ ଜଙ୍ଗଲରେ ୩ ମାଓବାଦୀଙ୍କ ମୃତ୍ୟୁ ପରେ ଉଦ୍ଧାର ସାମଗ୍ରୀରୁ ମିଳିଲା ପ୍ରମାଣ

189

କନକ ବ୍ୟୁରୋ: ମାଓବାଦୀଙ୍କ ହାତରେ ଇସ୍ରାଇଲ ଆସଲ୍ଟ୍ ରାଇଫଲ । ଇସ୍ରାଇଲ ନିର୍ମିତ ଏକ୍ସ – ୯୫ ଆସଲ୍ଟ ରାଇଫଲ ବ୍ୟବହାର କରୁଛନ୍ତି ମାଓବାଦୀ । ଏହାର ପ୍ରମାଣ ମିଳିଛି ଛତିଶଗଡ କାଂକେର ଜିଲ୍ଲାରୁ । ଗତକାଲି କାଂକେର ଜିଲ୍ଲାର ତାରୋକି ଥାନା ଅନ୍ତର୍ଗତ କୋସରୋଣ୍ଡା ଜଙ୍ଗଲରେ ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ କ୍ୟାଡର ମାଓବାଦୀ ପ୍ରାଣ ହରାଇ ଥିଲେ । ଆଉ ସେମାନଙ୍କ ନିକଟରୁ ଗୋଟିଏ ଅତ୍ୟାଧୁନିକ ଏକ୍ସ – ନାଇନ୍ଟି ଆସଲ୍ଟ ରାଇଫଲ ସହ ୩ଟି ବନ୍ଧୁକ ଓ ବିପୁଳ ପରିମାଣରେ ବୋମା ଓ ଗୁଳି ଗୋଳା ଜବତ ହୋଇଥିଲା ।

ସାଧାରଣତଃ ବିଏସଏଫ କିମ୍ବା ସିଆରପିଏଫ କିମ୍ବା ସେନା ବାହିନିର ଯବାନମାନେ ଏହି ଅତ୍ୟାଧୁନିକ ମେଶିନ ଗନ୍ ଏକ୍ସ – ନାଇନ୍ଟି ଫାଇଭ୍ ବନ୍ଧୁକ ବ୍ୟବହାର କରନ୍ତି । ଗୋଟିଏ ମିନିଟ ରେ ୭୫୦ ରୁ ୯୫୦ ଟି ଗୁଳି ବର୍ଷଣ କରିବାର କ୍ଷମତା ରହିଛି ଏହି ଅତ୍ୟାଧୁନିକ ସ୍ୱଚାଳିତ ବନ୍ଧୁକ ର । ତେବେ ମାଓବାଦୀଙ୍କ ନିକଟରେ ଏହି ଇସ୍ରାଇଲ ଆସଲ୍ଟ ରାଇଫଲ କେଉଁଠୁ ଆସିଲା ତାହାକୁ ନେଇ ତଦନ୍ତ କରୁଛି ଛତିଶଗଡ ପୁଲିସ । ପୁର୍ୱରୁ ଚିନ୍ ବ୍ୟବହୃତ ବିଭିନ୍ନ ମାରାଣାସ୍ତ୍ର ମାଓବାଦୀଙ୍କ ନିକଟରୁ ଉଦ୍ଧାର ହବାର ପ୍ରମାଣ ମିଳି ଥିଲା, ଆଉ ଏବେ ଏହି ଇସ୍ରାଇଲ ବନ୍ଧୁକ ସୁରକ୍ଷା କର୍ମୀଙ୍କ ଚିନ୍ତା ବଢାଇଛି ।