ଗୁରୁପ୍ରିୟା ସେତୁ ଉପରେ ଲାଲବାହିନୀର ନାଲିଆଖି । ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କଲେ ମାଓବାଦୀ, ନକ୍ସଲ୍ ନେତା କହିଲେ, ଖଣି ଖାଦାନ୍ ଲୁଟ୍ ପାଇଁ ସେତୁ କରିଛନ୍ତି ସରକାର

51

କନକ ବ୍ୟୁରୋ : ମାଲକାନଗିରିର ଗୁରୁପ୍ରୀୟା ସେତୁକୁ ମାଓବାଦୀଙ୍କ ବିରୋଧ । ପୋଲିସ ଓ ପ୍ରଶାସନକୁ ଖୋଲା ଚ୍ୟାଲେଂଜ ଦେଇ ମାଲକାନଗିରିର ସ୍ୱାଭିମାନ ଅଂଚଳରେ ପ୍ରଜାମେଳି କରିଛନ୍ତି ମାଓବାଦୀ । ବିରୋଧ କରିଛନ୍ତି ସମ୍ପର୍କର ସେତୁ ଗୁରୁପ୍ରିୟାକୁ । ଅଭିଯୋଗ କରିଛନ୍ତି, ସରକାର ସ୍ୱାଭିମାନ ଅଂଚଳର ବିକାଶ ପାଇଁ ନୁହେଁ ବରଂ ଖଣି ଲୁଟିବାକୁ ଗୁରୁପ୍ରିୟା ଗଢିଛନ୍ତି । ଗୁରୁପ୍ରିୟାକୁ ମାଓବାଦୀଙ୍କ ବିରୋଧ ପରେ ସେତୁ ଅଂଚଳରେ ବଢିଛି ସୁରକ୍ଷା ବ୍ୟବସ୍ଥା । ଏଥିସହ ଜୋରଦାର ହୋଇଛି କମ୍ବିଂ ।

ମାଲକାନଗିରିର ସ୍ୱାଭିମାନ ଅଂଚଳରେ ମାଓ ମେଳି । ଗୁରୁପ୍ରିୟା ବିରୋଧରେ ଗର୍ଜିଲେ ନକ୍ସଲ । ପୋଲିସ ଓ ପ୍ରଶାସନକୁ ଖୋଲା ଚ୍ୟାଲେଂଜ ଦେଇ ରାଲେଗଡାର କୋରକୋଣ୍ଡା ଅଂଚଳରେ ପ୍ରଜାମେଳି କରିଛି ଲାଲବାହୀନି । ଆନ୍ଧ୍ର–ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ଡାକରାରେ ଶହ ଶହ ଗ୍ରାମବାସୀ ସାମିଲ ହୋଇଥିଲେ ପ୍ରଜାମେଳିରେ । ଯେଉଁଥିରେ ସରକାରଙ୍କ ଗୁରୁପ୍ରିୟା ସେତୁ ନିର୍ମାଣକୁ ବିରୋଧ କରାଯାଇଛି । ଆଦିବାସୀଙ୍କ ବିକାଶ ପାଇଁ ନୁହେଁ ବରଂ ଖଣି ଖଦାନ ଲୁଟ୍ ପାଇଁ ସରକାର ଗୁରୁପ୍ରିୟା ଗଢିଛନ୍ତି ବୋଲି କହିଛନ୍ତି ମାଓ ନେତା ।

ବିଚ୍ଛିନ୍ନାଂଚଳରୁ ସ୍ୱାଭିମାନ ଅଂଚଳ । ଆଦିବାସୀ ଇଲାକାର ୧୫୧ଟି ଗାଁକୁ ଯୋଡିଛି ସଂପର୍କର ସେତୁ ଗୁରୁପ୍ରିୟା । ଅପହଂଚ ଇଲାକାରେ ପହଁଚିଛି ପ୍ରଶାସନ । ହେଲେ ଆଦିବାସୀଙ୍କ ବିକାଶର ଏହି ସେତୁକୁ ବିରୋଧ କରିଛନ୍ତି ନକ୍ସଲ । ତେବେ ମାଓବାଦୀଙ୍କ ଏଭଳି ବିରୋଧ ପଛରେ ରହିଛି ସରକାରଙ୍କ ମାଓ ବିରୋଧୀ ଗ୍ରୀନହଂଟ୍ ଅପରେସନର ଭୟ ।

ଗୁରୁପ୍ରିୟା ଆରମ୍ଭ ହେବାର ତିନି ଦିନ ଯାଇନି, ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ କୁଖ୍ୟାତ ମାଓବାଦୀ । ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର କ୍ୟାଡର ମାଓବାଦୀ ମୁକେଶ ଓ ରତ୍ନା ନାଁରେ ଥିଲା ଲକ୍ଷାଧିକ ଟଙ୍କାର ପୁରସ୍କାର । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଜନ୍ତାପାଇ ଠାରେ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ଯୋଗୁ ଏହି ମାଓ ଦମ୍ପତି ଭୟଭୀତ ହୋଇ ଆତ୍ମ ସମର୍ପଣ କରିଥିବା ପୁଲିସ କହିଛି ।