ପଞ୍ଜାବ ପଲିଟିକ୍ସରେ କମ୍ପନ । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ, ବିଜେପି ଆଡକୁ ଢଳୁଛନ୍ତି କି କ୍ୟାପଟେନ୍ ?

160

କନକ ବ୍ୟୁରୋ : ନିର୍ବାଚନ ଆଗରୁ ଘର ସଜାଡିବା ପାଇଁ କଂଗ୍ରେସ କରୁଥିବା ରଣନୀତିକୁ ଝଟକା ଲାଗିଛି । ଯେତେବେଳେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଲଢେଇରେ ସିଦ୍ଧୁ ଆଗରେ ରହୁଥିବା ବେଳେ ଏବେ ଏକ ରୋଚକ ଦିଗ ସାମ୍ନାକୁ ଆସିଛି । ଦିଲ୍ଲୀ ଯାଇ ଅମରିନ୍ଦର ବିଜେପି ନେତୃବୃନ୍ଦଙ୍କୁ ଭେଟିବାର ଚର୍ଚ୍ଚା ଭିତରେ ସଭାପତି ଗାଦି ଛାଡି ସିଦ୍ଧୁ ନୂଆ ଗୋଟିଚାଳନା କରିଥିବା ଅନୁମାନ କରାଯାଉଛି ।

ପଞ୍ଜାବ ପଲିଟିକ୍ସରେ କମ୍ପନ । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ । ଦିଲ୍ଲୀ ଗଲେ ଅମରିନ୍ଦର ସିଂହ । ବିଜେପି ଆଡକୁ ଢଳୁଛନ୍ତି କି କ୍ୟାପଟେନ୍? ପଞ୍ଜାବ କଂଗ୍ରେସ ରାଜନୀତି ନେଉଛି ନାଟକୀୟ ମୋଡ଼ । ନବଜ୍ୟୋତ ସିଂହ ସିଦ୍ଧୁ, ଚରଣଜିତ୍ ସିଂହ ଚନ୍ନି ଏବଂ କ୍ୟାପଟେନ୍ ଅମରିନ୍ଦର ସିଂହ, କଂଗ୍ରେସର ଏହି ତିନି ତୁଙ୍ଗ ନେତାକୁ ନେଇ ଘୁରିବୁଲୁଛି ରାଜନୀତି । ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି, ରବିବାର ଦିନ ତାଙ୍କର ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ କରିବା ପରେ ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ସିଦ୍ଧୁ ଲେଖିଛନ୍ତି, ସାଲିସ କଲେ, ଜଣେ ବ୍ୟକ୍ତିର ଚରିତ୍ରର ପତନ ଘଟିଥାଏ । ପଞ୍ଜାବର ଭବିଷ୍ୟତ ଓ ବିକାଶର ଏଜେଣ୍ଡାରେ ସେ ସାଲିସ କରିପାରିବେ ନାହିଁ । ତେଣୁ ସଭାପତି ପଦରୁ ସେ ଇସ୍ତଫା ଦେଉଛନ୍ତି । ଦଳ ପାଇଁ କାମ କରିବେ ବୋଲି ଇସ୍ତଫାପତ୍ରରେ ଲେଖିଛନ୍ତି ସିଦ୍ଧୁ ।

ଇସ୍ତଫାପତ୍ରରେ କାହିଁକି ସାଲିସ ଶବ୍ଦ ସିଦ୍ଧୁ ଲେଖିଛନ୍ତି, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, ଚନ୍ନି ସରକାରଙ୍କ ମନ୍ତ୍ରିମଣ୍ଡଳରେ ପୋଟଫୋଲିଓ ବଂଟନକୁ ନେଇ ଖୁସି ନଥିଲେ ନବଜ୍ୟୋତ ସିଂହ ସିଦ୍ଧୁ । ସିଦ୍ଧୁ ଇସ୍ତଫା ଦେବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଆପ୍ ପକ୍ଷରୁ କୁହାଯାଇଛି, ଦଳିତ ନେତା ମୁଖ୍ୟମନ୍ତ୍ରୀ ହେବା ସହି ପରୁନାହାନ୍ତି ସିଦ୍ଧୁ । ସେପଟେ ଟ୍ୱିଟ୍ କରି କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ସେ ଲେଖିଛନ୍ତି, ଆଗରୁ ଏହି କଥା ସେ କହିଥିଲେ ଯେ ସିଦ୍ଧୁ ଜଣେ ଅସ୍ଥିର ବ୍ୟକ୍ତି, ପଂଜାବ ଭଳି ସୀମାନ୍ତ ରାଜ୍ୟ ପାଇଁ ସେ ଯୋଗ୍ୟ ନୁହନ୍ତି ।

ସିଦ୍ଧୁଙ୍କୁ ବାରମ୍ବାର ସମାଲୋଚନା କରିଆସୁଛନ୍ତି କ୍ୟାପଟେନ୍ । ପାକିସ୍ତାନ ଓ ଇମ୍ରାନଙ୍କ ସହ ସିଦ୍ଧୁଙ୍କ ସଂପର୍କକୁ ନେଇ କାଠଗଡ଼ାକୁ ଟାଣିଛନ୍ତି । ଏପଟେ ବିଜେପି ଆଡକୁ ଅମରିନ୍ଦର ସିଂହ ଢଳୁଥିବା ଚର୍ଚ୍ଚା ହେଉଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେ କୌଣସି ରାଜନୈତିକ ଦଳର ନେତାଙ୍କୁ ଭେଟିବେ ନାହିଁ ବୋଲି ଅସ୍ୱୀକାର କରିଛନ୍ତି । ୮୦ ବର୍ଷୀୟ ଏହି ଭେଟେରାନ କଂଗ୍ରେସ ନେତା ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଲଢିବେ ବୋଲି ନିକଟରେ କହିଥିଲେ । ତେଣୁ ଅମରିନ୍ଦର ବିଜେପିରେ ସାମିଲ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ଦିନରେ ସିଦ୍ଧୁ ପିସିସି ସଭାପତି ପଦରୁ ଇସ୍ତଫା ଦେବା ଏବଂ ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତ ପଂଜାବ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।