ବିବାଦ ଭିତରେ ଆଇଓସିଏଲ ନେଇ ଆଜି ହେବ ନବୀନ-ଧର୍ମେନ୍ଦ୍ର ଭେଟ ! ଦାମ କହିଲେ, ଠିକ୍ ହେଲାନି ଦିଲ୍ଲୀ ଯାଇ ଧର୍ମେନ୍ଦ୍ରଙ୍କୁ ଭେଟିବା

31

କନକ ବ୍ୟୁରୋ: ଆଇଓସିଏଲ୍-ଓଡ଼ିଶା ସରକାର ମଧ୍ୟରେ ଚାଲିଥିବା ଟିକସ ବିବାଦର ସମାଧାନ ନେଇ ଆଜି ଦିଲ୍ଳୀରେ ବସିବ ବୈଠକ । ନୂଆଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର-ଭେଟଘାଟକୁ ନେଇ ଏବେ ଯୋରଦାର ଚର୍ଚ୍ଚା ହେଉଛି । ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧ ତିକ୍ତ ହେଉଥିବା ବେଳେ ଦୁଇ ଦଳର ଏହି ତୁଙ୍ଗ ନେତାଙ୍କ ବୈଠକକୁ ନେଇ ଖୋଦ୍ ବିଜେଡି ଭିତରେ ପ୍ରଶ୍ନ ଉଠିଛି । ସେପଟେ ଦୀର୍ଘ ଦିନ ଧରି ଆଇଓସିଏଲ ଓ ଓଡିଶା ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦର ଏହି ବୈଠକରେ କଣ ଫଳ ବାହାରୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ମିଳିଥିବା ତଥ୍ୟ ଅନୁଯାୟୀ, ପାରାଦୀପ ତୈଳ ରିଫାଇନାରୀ ନିମନ୍ତେ ୨୦୦୪ ଫେବୃଆରୀ ୧୬ରେ ରାଜ୍ୟ ସରକାର ଓ ଆଇଓସିଏଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ବୁଝାମଣା ପତ୍ରର ସର୍ତ୍ତ ଅନୁସାରେ ୧୧ ବର୍ଷ ପର୍ଯ୍ୟନ୍ତ ପାରାଦୀପ ରିଫାଇନାରୀରୁ ଉତ୍ପାଦିତ କୌଣସି ଉତ୍ପାଦର ବିକ୍ରି ପାଇଁ ରାଜ୍ୟ ସରକାର କୌଣସି ଟ୍ୟାକ୍ସ ମାଗିବେ ନାହିଁ । କିନ୍ତୁ ଏହି ଟିକସ ଅର୍ଥକୁ ଋଣ ଆକାରରେ ଦ୍ୱାଦଶ ବର୍ଷ ଠାରୁ ରାଜ୍ୟ ସରକାରଙ୍କୁ ଆଇଓସିଏଲ ଭରଣା କରିବ । ରିଫାଇନାରୀରେ ଉତ୍ପାଦନ ଆରମ୍ଭ ହେବା ସହ ଏହି ସର୍ତ୍ତ ଲାଗୁ କରାଯିବା ନେଇ ଚୁକ୍ତିରେ ଉଲ୍ଲେଖ କରାଯାଇଥିଲା ।

୨୦୧୫ ସେପ୍ଟେମ୍ବର ୨୨ରୁ ପାରାଦୀପ ରିଫାଇନାରୀରେ ଉତ୍ପାଦନ ଆରମ୍ଭ କରାଯାଇଥିଲା ଆଉ ୨୦୧୬ ଡିସେମ୍ବର ସୁଦ୍ଧା ଏହା ଉତ୍ପାଦ ଓଡିଶା ଭିତରେ ବିକ୍ରୟ କରି ପ୍ରାୟ ୧୪୮୫ କୋଟି ଟଙ୍କା ଟିକସ ଆକାରରେ ଆଦାୟ କରିଥିଲା । କିନ୍ତୁ ଫେବୃଆରୀ ୨୭ରେ ରାଜ୍ୟ ସରକାର ଆଇଓସିଏଲକୁ ଏକ ଡିମାଣ୍ଡ ନୋଟିସ ମାଧ୍ୟମରେ ୧୪୮୫ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନୋଟିସ ପାଇବା ପରେ ତୁରନ୍ତ ଏହି ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଓଡିଶା ସରକାରଙ୍କ ଏହି ନୋଟିସକୁ ଚ୍ୟାଲେଞ୍ଜ କରି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା ଆଇଓସିଏଲ । ଆଉ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଆଇଓସିଏଲ ଠାରୁ ଏହି ଅର୍ଥ ଆଦାୟ ନେଇ କୌଣସି ପଦକ୍ଷେପ ନ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୧୬ ମାର୍ଚ୍ଚ ୨୦୧୭ରେ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତି ରାଜ୍ୟ ସରକାର ଜାରୀ କରିଥିବା ଡିମାଣ୍ଡ ନୋଟିସ ଉପରେ ରୋକ ଲାଗାଇବା ସହିତ ଆଇଓସିଏଲ, ରାଜ୍ୟ ସରକାର, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନେଇ କାର୍ୟ୍ୟକାରୀ ଗୃପ ଦୁଇମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଉକ୍ତ ଖଣ୍ଡପୀଠ ରାୟ ଦେଇଥିଲେ ।ହାଇକୋର୍ଟଙ୍କ ଏହି ରାୟ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇଛି । କିନ୍ତୁ ବୈଠକର ନିର୍ଯ୍ୟାସ କେବଳ ସେହି କୋଠରୀ ମଧ୍ୟରେ ରହିଯାଇଛି । ଅର୍ଥାତ କୌଣସି ଶେଷ ନିଷ୍ପତି ନିଆଯାଇ ନଥିବାରୁ ଏହି ବିବାଦର ସମାଧାନ ହୋଇପାରିନାହିଁ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା ଏ ସମସ୍ୟାରେ ଏକ ନୂଆ ଦିଗ ଆଣିବ ବୋଲି ଆଶା କରାଯାଉଛି । ଅଫିସରମାନଙ୍କ ମଧ୍ୟରେ ବୈଠକ ବିଫଳ ହେବା ପରେ ଦୁଇ ନେତାଙ୍କ ଆଲୋଚନା ଏ ବିବାଦର ଅନ୍ତ କରାଇବ ବୋଲି ଆଲୋଚନା ହେଉଛି ।
ତେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ସବୁକିଛି ନିର୍ଭର କରୁଛି ବୋଲି ରାଜନୈତିକ ଓ ଅର୍ଥନୈତିକ ସମୀକ୍ଷକମାନେ ମତ ରଖିଛନ୍ତି । ନିଜ ବିଭାଗର ମୁଖ୍ୟ ହୋଇ ଧର୍ମେନ୍ଦ୍ର ଓଡିଶା ସରକାରଙ୍କୁ ସହଯୋଗ କରିବେ ବୋଲି ବି କୁହାଯାଉଛି ।