ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନଲକ ପାଇଁ ଚାଲିଛି ବିଚାର, ଜାଣନ୍ତୁ କେଉଁ ଜିଲ୍ଲା ଉପରେ ରହିବ ଫୋକସ? ସମୀକ୍ଷା ବୈଠକ ପରେ ବଡ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ।

937

କନକ ବ୍ୟୁରୋ : ରାଜ୍ୟର କରୋନା ସ୍ଥିତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପଜିଟିଭିଟି ରେଟ୍ ହ୍ରାସ ପାଉଥିବାରୁ ଆସନ୍ତା କିଛି ସପ୍ତାହ ମଧ୍ୟରେ ସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ଆଶାପ୍ରକାଶ କରିଛନ୍ତି ନବୀନ । ତେବେ ପଜିଟିଭିଟି ରେଟ୍ ଅଧିକ ରହୁଥିବା ଜିଲ୍ଲା ଗୁଡିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଦ୍ୱିତୀୟ
ଲହର ପ୍ରଭାବରୁ ଏବେ ସୁଦ୍ଧା ଆମେ ମୁକ୍ତ ହୋଇନାହୁଁ । ଆଗକୁ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ।

ଏହାବାଦ୍ କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି ନବୀନ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧା, ଆବଶ୍ୟକ ଉପକରଣ ଏବଂ ଔଷଣ ମହଜୁଦ ରଖିବା ସଂଗେ ସଂଗେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ ରୋଗୀଙ୍କ ତାଲିମ ଦିଆଯିବ। ଏହାବାଦ୍ ଏବେ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଥିବାବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ସେହିପରି ବ୍ଲାକ ଫଙ୍ଗସ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଥିବାରୁ ଏଥିପାଇଁ ଆବଶ୍ୟକ ଔଷଧ ମହଜୁଦ ରଖିବା ଏବଂ ଆବଶ୍ୟକ ସ୍ଥଳେ ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । ଏଭଳି ସ୍ଥିତିରେ ମଧ୍ୟ ରାଜ୍ୟରେ ଅକ୍ସିଜେନ ଯୋଗାଣ ସନ୍ତୋଷଜନକ ରହିଛି ବୋଲି କହିଛନ୍ତି ନବୀନ । ଏବେ ରାଜ୍ୟରେ ଲକଡାଉନ ଜାରି ରହିଛି। କିନ୍ତୁ ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନ୍‌-ଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ବିଷୟ ସରକାରଙ୍କ ବିଚରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।